ହସ୍ପିଟାଲରେ ରାହୁଲ, ଖେଚୁଡି ଖାଇ ଡାକିଲା ମମିପାପା

ରାୟପୁର: ସଫଳ ହେଲା ଦୀର୍ଘ ୧୦୪ ଘଣ୍ଟାର ଅପରେସନ । ରାହୁଲଙ୍କ ସାହସ ଓ ରେସକ୍ୟୁ ଟିମର ବିଶ୍ବାସ ଏହି ମିଶନକୁ ଦେଇଛି ସଫଳତା । ଏସଡିଆରଏଫ୍, ଏନଡିଆରଏଫ ଏବଂ ସେନାର ଅବିଶ୍ରାନ୍ତ ଉଦ୍ୟମ ଆଗରେ ହାର ମାନିଥିଲା ସମସ୍ତ ବାଧାବିଘ୍ନ । ଶେଷରେ ବୋରଓ୍ବେଲ ବାହାରକୁ ଆସିଥିଲା ରାହୁଲ । ରାହୁଲକୁ ବିଳାସପୁର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସା କରୁଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ୍ ।

ଆଜି ସକାଳୁ ରାହୁଲ ଖେଚୁଡି ଖାଇଛି । ଏହାସହ ମମି ପାପା କହିଛି ରାହୁଲ । ପୁଅକୁ ପାଇ ଏବେ ପରିବାରରେ ଖୁସିର ମାହୋଲ । ଗତକାଲି ଉଦ୍ଧାର ପରେ ସ୍ବତନ୍ତ୍ର ଗ୍ରୀନ କରିଡରରେ ମେଡିକାଲ ପର୍ଯ୍ୟନ୍ତ ବାଟ କଢ଼ାଇ ନେଇଥିଲା ପ୍ରଶାସନିକ ଟିମ୍ । ରାହୁଲ ଜୀବନ୍ତ ଭାବେ ଉଦ୍ଧାର ପରେ ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଠାକୁରଙ୍କୁ ଧନ୍ୟବାଦ ଦେଇଛନ୍ତି ଲକ୍ଷ ଲକ୍ଷ ଶୁଭେଛୁ ।

ତେବେ ମିଶନ ରାହୁଲରେ କାମ ଦେଇନଥିଲା ଯନ୍ତ୍ରାଂଶ, ଶେଷ ସମୟରେ ହାତରେ ଖୋଳା ଯାଇଥିଲା ବିରାଟକାୟ ପଥର । ରାହୁଲ ରେସ୍କ୍ୟୁ ଠାରୁ ମେଡିକାଲରେ ଭର୍ତ୍ତି ପର୍ଯ୍ୟନ୍ତ ପ୍ରତି ମୁହୂର୍ତ୍ତର ଖବର ରଖିଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ଉଦ୍ଧାର ପରେ ସେ ଉଦ୍ଧାରକାରୀ ଟିମ୍‌ର ପ୍ରଶଂସା କରିଛନ୍ତି ।

ଛତିଶଗଡ ଜାଞ୍ଜଗିର ଚମ୍ପାର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା ଘଟଣାସ୍ଥଳରେ ନିଜେ ଉପସ୍ଥିତି ରହି ରେସ୍କ୍ୟୁ ଅପରେସନର ଅନୁଧ୍ୟାନ କରିଥିଲେ । ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ଆଜି ସେହି ବୋରଓ୍ବେଲ ଓ ଉଦ୍ଧାର କାର୍ଯ୍ୟ ପାଇଁ ଖୋଳାଯାଇଥିବା ସୁଡଙ୍ଗକୁ ପୋତା ଯାଉଛି ।