ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦେଶବ୍ୟାପୀ ହଙ୍ଗାମା, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଅଟକ

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି, ଦରଦାମ୍ ବୃଦ୍ଧି, ଜିଏସଟି ଏବଂ ବେକାରୀ ସମସ୍ୟାକୁ ବିରୋଧ କରି ଆଜି କଂଗ୍ରେସ ନେତାମାନେ ଦେଶବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କରିଛି । ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା କରୁଥିବା ସମୟରେ କଂଗ୍ରେସ ନେତା ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖିଛି ପୋଲିସ୍ । ଆନ୍ଦୋଳନ ବେଳେ ପ୍ରିୟଙ୍କାଙ୍କୁ ପୋଲିସ ଟାଣି ଟାଣି ଭ୍ୟାନ ଭିତରକୁ ନେବା ଦେଖାଯାଇଛି । ଦେଶବ୍ୟାପୀ ଦିଆଯାଇଥିବା ବିକ୍ଷୋଭ ଆହ୍ବାନ ପରିପ୍ରେକ୍ଷୀରେ ଦିଲ୍ଲୀରେ କଂଗ୍ରେସ ନେତା, ସାଂସଦ ଓ କର୍ମୀ ଜୋରଦାର ବିକ୍ଷୋଭ କରିଛନ୍ତି । ଦେଶର ସମସ୍ତ ରାଜ୍ୟର କଂଗ୍ରେସ ଶାଖା ପକ୍ଷରୁ ମଧ୍ୟ ଆନ୍ଦୋଳନ ହୋଇଛି ।

କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ଓ ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀ ବାସଭବନ ଘେରାଉ ଅଭିଯାନ କରିଥିବାବେଳେ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା କରିଛନ୍ତି । କଂଗ୍ରେସର ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିକ୍ଷୋଭ ବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ରାସ୍ତାରେ ବସିପଡ଼ିବା ଦେଖାଯାଇଥିଲା । ତେବେ ଏହି ବିକ୍ଷୋଭ ସମୟରେ ରାହୁଲ କହିଛନ୍ତି ଦେଶରେ ଗଣତନ୍ତ୍ରର ମୃତ୍ୟୁ ଘଟିବାକୁ ଯାଉଛି । ଶହେ ବର୍ଷ ତଳେ ଭାରତ ଯେପରି ଗଠିତ ହୋଇଥିଲା ବର୍ତ୍ତମାନ ତାହା ଧ୍ୱଂସ ହେବାରେ ଲାଗିଛି । ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ ଯୋଗୁ ରାଜଧାନୀରେ ୧୪୪ ଧାରା ଜାରି କରାଯାଇଛି ।