ବିରୋଧୀ ଦଳ ଦାବି ଆଗରେ ନଇଁଲେ କେନ୍ଦ୍ର ସରକାର, ଜାତିଭିତ୍ତିକ ଜନଗଣନା କରିବାକୁ ନେଲେ ନିଷ୍ପତ୍ତି
1 min read
ନନ୍ଦିଘୋଷ ବ୍ୟୁରୋ : ଶେଷରେ ବିରୋଧୀ ଦଳ ଦାବି ଆଗରେ ନଇଁଲେ କେନ୍ଦ୍ର ସରକାର । ଜାତିଭିତ୍ତିକ ଜନଗଣନା କରିବାକୁ ନେଲେ ନିଷ୍ପତ୍ତି । ଏହା ବିରୋଧୀ ଦଳର ବଡ଼ ବିଜୟ । ଜାତିଭିତ୍ତିକ ଜନଗଣନା ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ପରେ ସାମ୍ବାଦିକ ସମ୍ମିଳନୀରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।ଦୀର୍ଘ ଦିନରୁ କଂଗ୍ରେସ ସମେତ ଅନ୍ଯ ବିରୋଧୀ ଦଳ ଏ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ଆସୁଥିଲେ । କିନ୍ତୁ କେନ୍ଦ୍ର ସରକାର ଆଳ ଦେଖାଇ ଏହାକୁ ଟାଳି ଚାଲିଥିଲେ । ତେଲେଙ୍ଗାନା ରାଜ୍ଯର ଜାତିଭିତ୍ତିକ ଜନଗଣନା ଜାତୀୟସ୍ତରରେ ନୂଆ ଉଦାହରଣ ସୃଷ୍ଟି କରିଛି ।
ତେଲେଙ୍ଗାନାର ଉଦାହରଣକୁ ଜାତୀୟ ସ୍ତରରେ ଲାଗୁ କରିବା ପାଇଁ ଏକ ସହମତି ପ୍ରକାଶ ପାଇବା ଦରକାର । ଏଦିଗରେ ସରକାର କାର୍ଯ୍ୟ କଲେ ସମାଜର ନବେ ପ୍ରତିଶତ ଦଳିତ ଓ ଗରିବ ପଛୁଆ ବର୍ଗ ଉପକୃତ ହୋଇପାରିବେ । ତେଲେଙ୍ଗାନା ଓ ବିହାରରେ ଜାତିଭିତ୍ତିକ ଜନଗଣନା ମାନଦଣ୍ଡ ଅଲଗା ଅଲଗା । ସବୁ ପଛୁଆ ବର୍ଗର ବିକାଶ ପାଇଁ ସଂରକ୍ଷଣ ଆବଶ୍ୟକ । ଏହା ପୂର୍ବରୁ ଥିବା ୫୦ ପ୍ରତିଶତ ସର୍ବୋଚ୍ଚ ସଂରକ୍ଷଣ ସୀମା ଭିତରେ ସମ୍ଭବ ହେବ ନାହିଁ । ୫୦ ପ୍ରତିଶତ ସୀମାକୁ ବଢାଇବାକୁ ପଡିବ । ଏହା ସହିତ ରାହୁଲ ଯୁକ୍ତି ଦର୍ଶାଇ କହିଛନ୍ତି ଦଳିତ ଓ ପଛୁଆ ବର୍ଗଙ୍କର ଶିକ୍ଷାକୁ ସୁନିଶ୍ଚିତ କରିବାକୁ ହେଲେ କେନ୍ଦ୍ର ସରକାର ସମ୍ବିଧାନର ଧାରା ୧୫-(୫)କୁ ବାଧ୍ଯତାମୂଳକ ଲାଗୁ କରିବା ଦରକାର । ଏ ନେଇ ଆଗରୁ କଂଗ୍ରେସ ସରକାରଙ୍କୁ ଆଗରେ ଦାବି କରିଥିଲା । ଜାତିଭିତ୍ତିକ ଜନଗଣନା ସରକାର କେବେ କରିବେ ତାର ତାରିଖ ସ୍ପଷ୍ଟ କରିବାକୁ ରାହୁଲ ଦାବି କରିଛନ୍ତି । ଏହାସହିତ ବଜେଟରେ କି ପ୍ରକାର ବ୍ଯବସ୍ଥା କରାଯାଇଛି ତାକୁ ମଧ୍ଯ ଲୋକେ ଜାଣିବା ଦରକାର । ଡେରିରେ ହେଲେ ବି ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସ୍ବାଗତ କରୁଛି ବୋଲି କହିଛନ୍ତି ରାହୁଲ ।