ସରକାରୀ ବାସଭବନ ଛାଡ଼ିଲେ ରାହୁଲ, ଟ୍ରକରେ ବୁହା ହୋଇଗଲା ଆସବାବପତ୍ର

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ୧୨ ତୁଗଲକ ଲେନରେ ଥିବା ସରକାରୀ ବାସଭବନ ଖାଲି କରି ଦେଇଛନ୍ତି । ଗତ ୧୪ ତାରିଖରେ କାର୍ଯ୍ୟାଳୟ କାଗଜପତ୍ର ସହ ନିଜର କିଛି ସାମଗ୍ରୀ ସୋନିଆ ଗାନ୍ଧୀଙ୍କ ବାସଭବନକୁ ଶିଫ୍ଟ କରି ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ମଧ୍ୟ ରାହୁଲ ତାଙ୍କ ଆସବାବପତ୍ର ଶିଫ୍ଟ କରିଥିଲେ । ଯେଉଁ ବାସଭବନ ତାଙ୍କୁ ସାଂସଦ ଭାବେ ମିଳିଥିଲା । ଏକ ଟ୍ରକରେ ରାହୁଲଙ୍କ ଆସବାବପତ୍ର ନିଆଯାଉଥିବା ଦେଖିବାକୁ ମିଳିଥିଲା । ପ୍ରାୟ ଦୁଇ ଦଶନ୍ଧି ହେଲା ରାହୁଲ ଉକ୍ତ ବାସଭବନରେ ରହୁଥିଲେ । କାର୍ଯ୍ୟାଳୟ ବଦଳାଇବା ପରଠାରୁ ରହୁଲ ତାଙ୍କ ମାଆଙ୍କ ସହ ୧୦ ଜନପଥ ସ୍ଥିତି ବାସଭବନରେ ରହୁଛନ୍ତି ।

ସୂଚନାଯୋଗ୍ୟ, ସୁରତର ଏକ କୋର୍ଟ ୨୩ ମାର୍ଚ୍ଚକୁ ରାହୁଲ ଗାନ୍ଧୀଙ୍କ ଉପରେ ଲାଗିଥିବା ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ତାଙ୍କ ସାଂସଦ ପଦ ରଦ୍ଦ ହୋଇଯାଇଥିଲା । ପରେ ଲୋକସଭା ସଚିବାଳୟ ପକ୍ଷରୁ ତାଙ୍କୁ ୨୨ ଏପ୍ରିଲ ସୁଦ୍ଧା ବାସଭବନ ଖାଲି କରିବାକୁ କୁହାଯାଇଥିଲା ।