ଆଇଫୋନ ହ୍ୟାକିଂ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ
1 min read
ନୂଆଦିଲ୍ଲୀ: ଆଇଫୋନ ହ୍ୟାକିଂ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି। ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ। ଫୋନ ନିର୍ମାତା କମ୍ପାନୀ ପକ୍ଷରୁ ଆସୁଛି ହ୍ୟାକିଂ ଆଲର୍ଟ । ଆପଣଙ୍କ ଫୋନକୁ ଷ୍ଟେଟ୍ ସ୍ପନସର୍ ଟାର୍ଗେଟ୍ ହ୍ୟାକ୍ କରୁଛନ୍ତି ବୋଲି ମେସେଜ୍ ଆସୁଛି । ଆଇଫୋନ୍ ବ୍ୟବହାର କରୁଥିବା ଅନେକ ରାଜନେତାଙ୍କ ପାଖକୁ ଏଭଳି ମ୍ୟାସେଜ୍ ଆସୁଛି। ହ୍ୟାକର ଫୋନର ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି । ଫୋନର ଡାଟା, କ୍ୟାମେରା ଓ ମାଇକ୍ରୋଫୋନକୁ ହ୍ୟାକ୍ କରାଯାଉଛି। ଯାହା ଫଳରେ ବ୍ୟବହାରକାରୀ ଯାହା ସହ କଥାବାର୍ତ୍ତା ହେବେ ସବୁକିଛି ହ୍ୟାକର ରେକର୍ଡ କରିପାରିବେ।
ଏହାସହ ଫୋନରେ ଥିବା ସମସ୍ତ ତଥ୍ୟକୁ ଦୂରରେ ଥାଇ ମଧ୍ୟ ନେଇଯାଇପାରିବେ। ବିରୋଧୀ ଦଳର ଅନେକ ନେତା ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି । ଟିଏମସି ନେତା ମହୁଆ ମୈତ୍ର ପ୍ରଥମେ ଏହି ଅଭିଯୋଗ ଆଣିଛନ୍ତି । ଏହାସହ ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ, କଂଗ୍ରେସ ନେତା ଶଶୀ ଥରୁର, ପବନ ଖେଡା, ଆପ ନେତା ରାଘବ ଚଢା, AIMIM ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ତାଙ୍କର ଫୋନ ହ୍ୟାକ୍ କରାଯାଉଥିବା ଦାବି କରିଛନ୍ତି । ଫୋନକୁ ହ୍ୟାକ୍ କରାଯାଉଥିବା ନେଇ ଫୋନ କମ୍ପାନୀ ପକ୍ଷରୁ ମ୍ୟାସେଜ୍ ଆସୁଛି ବୋଲି ଏହି ନେତା କହିଛନ୍ତି । ଆପଲ୍ ଫୋନକୁ ସବୁଠାରୁ ସୁରକ୍ଷିତ କୁହାଯାଉଥିବାବେଳେ ଏହାକୁ ମଧ୍ୟ ହ୍ୟାକ୍ କରାଯାଉଛି । ପେଗାସସ ପରେ ଏବେ ଆପଲର ମ୍ୟାସେଜକୁ ନେଇ ଆସିଛି ଗୁଇନ୍ଦାଗିରିର ଏଭଳି ଅଭିଯୋଗ।