ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଆମେରିକାରୁ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: ବାହାନଗା ଟ୍ରେନ ଟ୍ରାଜେଡି । କେନ୍ଦ୍ରର ବିଫଳତାକୁ ନେଇ ଆମେରିକାରୁ ବର୍ଷିଲେ ରାହୁଲ । ବିଫଳତା ଲୁଚାଇବାକୁ ବାହାନା ଖୋଜୁଛି ବିଜେପି । ଭବିଷ୍ୟତ କଥା କହି ସବୁବେଳେ ଅତିତକୁ ଦୋଷ ଦେଇ କେନ୍ଦ୍ରର ବିଜେପି ସରକାର ଖସିଯିବାକୁ ଚେଷ୍ଟା କରନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜାଭିସଟ ସେଣ୍ଟରରେ ପ୍ରଭାବସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ ।

ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ କେନ୍ଦ୍ର ସରକାରଙ୍କ ଅବହେଳାରୁ ଘଟିଥିବା ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା କହିଥିଲେ । କଂଗ୍ରେସ ସରକାର ଅମଳରେ ହୋଇଥିବା ଟ୍ରେନ ଦୁର୍ଘଟଣା ପରେ ରେଳ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ହେଲେ ଏବେର ସରକାର ବାସ୍ତବିକତାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ।  ବିଜେପି ଓ ଆରଏସଏସ୍ ଭବିଷ୍ୟତ ଦେଖିବାରେ ଅକ୍ଷମ । ପ୍ରଧାନମନ୍ତ୍ରୀ ପଛ ମିରର ଦେଖି କାର ଚଳାଇବାକୁ ଚେଷ୍ଟା ଚଳାଇଛନ୍ତି । ଭାରତରେ ଏବେ ଦୁଇଟି ବିଚାରଧାରାକୁ ନେଇ ସଂଘର୍ଷ ଜାରି ରହିଛି । ଗୋଗେ ପଟେ ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଓ ଗୋଟେ ପଟେ ନାଥୁରାମ ଗଡସେ ବିଚାର ଧାରାକୁ ନେଇ ଲଢ଼େଇ ଚାଲିଛି ବୋଲି ରାହୁଲ କହିଛନ୍ତି ।

ଅନ୍ୟପଟେ ଟ୍ରେନ ଦୁର୍ଘଟଣାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିବା ସହ ସରକାରଙ୍କ ବିଫଳତା ଓ ମିଛ ପ୍ରତିଶ୍ରୁତିକୁ ସମାଲୋଚନା କରିଛନ୍ତି ଶିବସେନା ଉଦ୍ଧବ ଗୋଷ୍ଠୀ ସାଂସଦ ସଞ୍ଜୟ ରାଉତ । ଟ୍ରେନ ଦୁର୍ଘଟଣା ରୋକିବାକୁ ସରକାର ଅତ୍ୟାଧୁନିକ କବଚ ଟେକ୍ନୋଲୋଜି ବ୍ୟବହାର ନେଇ ଡିଣ୍ଡିମ ପିଟୁଥିବା ବେଳେ ବାହାନଗା ରୁଟରେ ଅତି ଭୟାବହ ଦୁର୍ଘଟଣା ଘଟି ୨୭୫ ଲୋକଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ରେଳ ଦୁର୍ଘଟଣା ପରେ ନୈତିକତା ଦୃଷ୍ଟିରୁ ମାଧବରାଓ ସିନ୍ଧିଆ ଓ ଲାଲବାହାଦୂର ଶାସ୍ତ୍ରୀ ରେଳ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ବାହାନଗା ଦୁର୍ଘଟଣା ପାଇଁ ସରକାର ନା ରେଳମନ୍ତ୍ରୀ କିଏ ଦାୟୀ ବୋଲି ପ୍ରଶ୍ନ କରିଛନ୍ତି ସଞ୍ଜୟ ରାଉତ ।