ଏକଜିଟ୍ ପୋଲ ରିପୋର୍ଟକୁ ରାହୁଲଙ୍କ ଅସ୍ଵୀକାର

ନୂଆଦିଲ୍ଲୀ : ଏକଜିଟ୍ ପୋଲ ରିପୋର୍ଟକୁ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅସ୍ଵୀକାର। ଲୋକସଭାରେ ୨୯୫ ଆସନ ସହ ସରକାର ଗଠନ କରିବ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି। ଭୋଟଗଣତି ପୂର୍ବରୁ ସମସ୍ତ ସର୍ଭେ ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟକୁ ମନଗଢା ବୋଲି କହିଛନ୍ତି ରାହୁଲ। ଅଧିକାଂଶ ଏକଜିଟ୍ ପୋଲ ଦେଶରେ ବିଜେପି ସରକାର ଗଢିବ ବୋଲି ରିପୋର୍ଟ ଦେଇଛନ୍ତି।

ଏକଜିଟ୍ ପୋଲକୁ ଫାଣ୍ଟାସି ପୋଲ୍ ବୋଲି କହିଛନ୍ତି ରାହୁଲ। ଇଣ୍ଡିଆ ମେଣ୍ଟକୁ ୨୯୫ ଆସନ ମିଳିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ରାହୁଲ ଏହି କଥା କହିଛନ୍ତି। ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଇଣ୍ଡିଆ ମେଣ୍ଟ ୨୯୫ ଆସନ ଜିତିବ ବୋଲି ଆକଳନ କରିଥିଲେ। ଶନିବାର ଶେଷ ପର୍ଯ୍ୟାୟ ଭୋଟ ସରିବା ପରେ ଖଡ଼ଗେଙ୍କ ଘରେ ପ୍ରାୟ ଅଢେଇ ଘଣ୍ଟା ଧରି ଇଣ୍ଡିଆ ମେଣ୍ଟ ନେତାଙ୍କ ବୈଠକ ବସିଥିଲା। ବିଜେପି ଏକଜିଟ ପୋଲ ରିପୋର୍ଟ ଉପରେ ଚର୍ଚ୍ଚା କରିବେ।

ତେବେ ଇଣ୍ଡିଆ ମେଣ୍ଟ ନେତାଙ୍କୁ ନିର୍ବାଚନ ପ୍ରକ୍ରିୟା ଉପରେ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ। ଏହି ବୈଠକରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ଇଣ୍ଡିଆ ମେଣ୍ଟର ପ୍ରମୁଖ ନେତା ସାମିଲ ହୋଇଥିଲେ। ଦେଶରେ ମୋଟ ୫୪୩ ଆସନରେ ଭୋଟ ମତଦାନ ହୋଇଛି। ସାତଟି ପର୍ଯ୍ୟାୟରେ ଏହି ଭୋଟଗ୍ରହଣ ହୋଇଥିଲା। ୧୯ ଏପ୍ରିଲରେ ପ୍ରଥମ ପର୍ଯ୍ଯାୟ ଭୋଟଗ୍ରହଣ ହୋଇଥିଲା।।ଗତ ଜୁନ ୧ ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ଯାୟ ମତଦାନ ଶେଷ ହୋଇଛି। ପ୍ରାୟ ଦେଢମାସ ଧରି ଚାଲିଛି ଏହି ନିର୍ବାଚନ ପ୍ରକ୍ରିୟା। ଆସନ୍ତାକାଲି ଜୁନ ୪ ତାରିଖରେ ଭୋଟ ଗଣତି ହେବ।