୧୧ରେ ଓଡ଼ିଶାରେ ସମ୍ବିଧାନ ବଞ୍ଚାଅ ସମାବେଶ କରିବେ ରାହୁଲ, କଂଗ୍ରେସ ଶିବିରରେ ଉତ୍ସାହ

ନନ୍ଦିଘୋଷ ବ୍ୟୁରୋ: ୨୦୨୪ ନିର୍ବାଚନର ବର୍ଷେ ପରେ ଚଳଚଞ୍ଚଳ ହୋଇଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ଆସନ୍ତା ୧୧ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶାରେ ସମ୍ବିଧାନ ବଞ୍ଚାଅ ସମାବେଶରେ ସାମିଲ ହେବେ । ରାହୁଲଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ଉତ୍ସାହିତ ହୋଇଥିବା ବେଳେ, ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରିବାକୁ ଦଳ ଅଣ୍ଟା ଭିଡ଼ିଛି । ୩୦ ଲକ୍ଷ ସଦସ୍ୟ ସଂଗ୍ରହ କରିବାକୁ ଦଳ ଲକ୍ଷ୍ୟ ରଖିଛି । ଅନ୍ୟପଟେ ବିଜେପି କହିଛି, ରାହୁଲଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବନି । ବିଜେଡିର ଯୁକ୍ତି, ଆଜି ବି ବିଜେଡି ଓଡ଼ିଶାରେ ସବୁଠୁ ଶକ୍ତିଶାଳୀ ଓ ଲୋକପ୍ରିୟ ଦଳ ।
ଆସନ୍ତା ୧୧ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ । ରାହୁଲଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଛି କଂଗ୍ରେସ ଶିବିର । ଘନ ଘନ ବୈଠକ କରାଯାଇ ରାହୁଲଙ୍କ ଗସ୍ତକୁ ସଫଳ କରିବାକୁ ଅଣ୍ଟା ଭିଡିଛନ୍ତି ପିସିସି ସଭାପତି ଭକ୍ତ ଦାସ । ରାହୁଲଙ୍କ ଗସ୍ତ ଓଡିଶାରେ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବ ବୋଲି ସେ କହିଛନ୍ତି । ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିବା ସହ ୩୦ ଲକ୍ଷ ସଦସ୍ୟ ସଂଗ୍ରହ କରିବାକୁ ଟାର୍ଗେଟ ରହିଛି । ଶାସକ ବିଜେପି କିନ୍ତୁ ରାହୁଲଙ୍କ ଗସ୍ତକୁ ନେଇ କଟାକ୍ଷ କରିଛି ।
ନିର୍ବାଚନର ବର୍ଷେ ପରେ ବି ଓଡ଼ିଶା ରାଜନୀତିରେ ଅତୁଟ ରହିଛି ବିଜେଡିର ଲୋକପ୍ରିୟତା । ଯାହାକୁ ନେଇ ଚିନ୍ତାରେ ଦୁଇ ଜାତୀୟ ଦଳ । ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମୁଦୁଲିଙ୍କ ଯୁକ୍ତି, ୨୦୨୪ ନିର୍ବାଚନରେ ଓଡ଼ିଶାରେ ଶାସନ ବଦଳିଲା । ବର୍ଷେ ପରେ ବି ଓଡ଼ିଶାବାସୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଝୁରୁଛନ୍ତି । ବିଜେପି ସରକାରଠାରୁ ରାଜ୍ୟବାସୀ ଯାହା ଆଶା କରୁଥିଲେ ତାହା ପାଇଲେ ନାହିଁ । ଠପ୍ ହୋଇଛି ବିକାଶମୂଳକ କାମ । ଯେଉଁଥିପାଇଁ ବିଜେପିକୁ ନାପସନ୍ଦ କଲେଣି ଓଡ଼ିଶାବାସୀ। ଏସବୁକୁ ଅନୁଭବ କରିସାରିଲେଣି ଜାତୀୟ ଦଳ । ତେଣୁ ଓଡ଼ିଶାରେ ନିଜର ସ୍ଥିତିକୁ ବଜାୟ ରଖିବା ପାଇଁ ଚଳାଇଛନ୍ତି ଆପ୍ରାଣ ଉଦ୍ୟମ । କିନ୍ତୁ ଆଜି ବି ବଜାୟ ରହିଛି ବିଜେଡିର ଲୋକପ୍ରିୟତା । ବିକାଶ କାମ କିପରି ଜାରି ରହିବ, ସେନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଫୋକସ ଦେଇଛନ୍ତି । ଏହାସହ ଲୋକଙ୍କ ସ୍ବର ସାଜି ଓଡ଼ିଶା ହକ ପାଇଁ ବିଜେଡି ଲଢ଼େଇ ଜାରି ରଖିଛି ବୋଲି କହିଛନ୍ତି ପ୍ରଶାନ୍ତ ।
ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରହିଛି । ଆଗକୁ ୨୦୨୭ରେ ପଞ୍ଚାୟତ ଓ ପରେ ପୌର ନିର୍ବାଚନ ହେବ । ତେଣୁ ଏବେଠାରୁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ସଂଗଠନକୁ ମଜବୁତ କରିବାକୁ ଅଣ୍ଟା ଭିଡିଛନ୍ତି ।