ମୋଦି ସରନେମ ମାମଲା; ଗୁଜରାଟ ହାଇକୋର୍ଟରୁ ରାହୁଲଙ୍କୁ ମିଳିଲାନି ଅନ୍ତରୀଣ ଆଶ୍ୱସ୍ତି

ଅହମ୍ମଦାବାଦ: ମୋଦି ସରନେମ ମାମଲାରେ ରାହୁଲ ଗାନ୍ଧିଙ୍କୁ ଗୁଜରାଟ ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି । ଅନ୍ତରୀଣ ଆଶ୍ୱସ୍ତି ଦେବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ଏଥିସହିତ ହିଁ ନିମ୍ନ କୋର୍ଟଙ୍କ ପକ୍ଷରୁ ମିଳିଥିବା ଦୁଇବର୍ଷ ଜେଲଦଣ୍ଡାଦେଶ ବିରୋଧରେ ଆବେଦନ ଉପରେ ନିଜର ଫୈସଲା ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ରାହୁଲ ଗାନ୍ଧି ୨୦୧୯ର ସାଧାରଣ ନିର୍ବାଚନ ସମୟରେ ସମସ୍ତ ଚୋରଙ୍କ ସରନେମ ମୋଦି କାହିଁ କି ରହିଛି, ଭଳି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ।

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପକ୍ଷରୁ ମାନହାନି ମାମଲାରେ ରୁଜୁ ପୁନଃବିଚାର ଆବେଦନ ଉପରେ ମଙ୍ଗଳବାର ଗୁଜରାଟ ହାଇକୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ତାଙ୍କୁ ଅନ୍ତରୀଣ ଆଶ୍ୱସ୍ତି ଦେବାକୁ ମନା କରି ଦୋଷସିଦ୍ଧି ଉପରେ ରୋକ୍ ଲଗାଇବାର ତାଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି । କୋର୍ଟ କହିଛନ୍ତି ମାମଲାର ଅନ୍ତିମ ଶୁଣାଣି ସମାପ୍ତ ହେବା ପରେ ହିଁ ଅନ୍ତିମ ଫୈସଲା ଦେବା ଉଚିତ ହେବ । ଜଷ୍ଟିସ ହେମନ୍ତ ପ୍ରଚ୍ଛକ ସ୍ପଷ୍ଟ କରିଛନ୍ତି ଯେ ଶୁଣାଣି ପୂରା ହେବା ପରେ ରାୟ ସଂରକ୍ଷିତ ରଖିଦେବୁ । ଛୁଟି ସମୟରେ କୋର୍ଟ ରାୟ ଲେଖିବେ ।

ଏହି ମାମଲାରେ ତାଙ୍କ ବିରୋଧରେ ପୂର୍ବତନ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦି ମାନହାନୀ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ମାର୍ଚ୍ଚରେ ସୁରଟର ଏକ କୋର୍ଟ ରାହୁଲଙ୍କୁ ଦୁଇବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲେ । ଏହି କାରଣରୁ ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଥିଲା । ନିମ୍ନ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ସେଶନ କୋର୍ଟ ପହଞ୍ଚିଥିଲେ ହେଲେ ସେଠୁ ମଧ୍ୟ ଆଶ୍ୱସ୍ତି ମିଳିନଥିଲା । ଏହାପରେ ସେ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ହାଇକୋର୍ଟରୁ ଆଶ୍ୱସ୍ତି ନିମିଳିଲେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ।