ରାହୁଲଙ୍କ ବିବାହକୁ ନେଇ ପ୍ରଶ୍ନ କଲେ ହରିୟାଣା ମହିଳା, ସୋନିଆ କହିଲେ ଆପଣ ଖୋଜି ଦିଅନ୍ତୁ…

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ବାହାଘରକୁ ନେଇ ଲୋକଙ୍କ ମନରେ କେତେ ଉତ୍ସୁକତା ଭରି ରହିଛି ତାର ଏକ ଉଦାହରଣ ସାମ୍ନାକୁ ଆସିଛି । ରାହୁଲଙ୍କ ବିବାହ କରାଇଦିଅ । ସୋନିପତରୁ ଦିଲ୍ଲୀ ଆସିଥିବା ଏକ ମହିଳା ଚାଷୀ ରାହୁଲଙ୍କ ମାଆ ସୋନିଆ ଗାନ୍ଧୀଙ୍କୁ ଏହି ପରାମର୍ଶ ଦେଇଛନ୍ତି । ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ତଳେ ରାହୁଲ ଗାନ୍ଧୀ ସୋନିପତ ଗସ୍ତବେଳେ ଏକ ମହିଳା ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଥିଲେ । ନିମନ୍ତ୍ରଣ ରକ୍ଷା କରିବା ସହ ଏକ ମହିଳା କୃଷକ ଦଳ ଦିଲ୍ଲୀ ଗସ୍ତ କରିଥିଲେ ।

ସୋନିଆଙ୍କ ୧୦ ଜନପଥ ଭବନରେ ମେଳି ହୋଇଥିଲା । ମେଳିରେ ମହିଳା କୃଷକଙ୍କ ସହ ବସିଥିଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଭଦ୍ରା । ବିଭିନ୍ନ ସମସ୍ୟା ଉତ୍ଥାପନ ସହ ହସଖୁସି ବି ଚାଲିଲା । ରାହୁଲଙ୍କ ସହ କିଛି ମହିଳା ନାଚଗୀତ ବି କଲେ । ଏହି ସମୟରେ ସୋନିଆଙ୍କ ପାଖରେ ବସିଥିବା ମହିଳା ଜଣକ ରାହୁଲଙ୍କ ବିବାହ ପ୍ରସଙ୍ଗ ଉଠାଇଥିଲେ । ତତକ୍ଷଣାତ ସୋନିଆ ଜବାବ ଦେଇ କହିଥିଲେ, ଆପଣ ଝିଅ ଖୋଜି ଦିଅନ୍ତୁ । ଏହି ଉତ୍ତରରେ ସମସ୍ତେ ହସିଉଠିଥିଲେ ଏବଂ ରାହୁଲ କହିଥିଲେ ହଁ ବିବାହ ନିଶ୍ଚୟ ହୋଇଯିବ ।