ଦେଶକୁ ଭାଗ ଭାଗ କରି ଘୃଣା ସୃଷ୍ଟି କରୁଛି ବିଜେପି: ରାହୁଲ

1 min read

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଥିବା ଦରଦାମ ପ୍ରତିବାଦରେ କଂଗ୍ରେସର ଯୁଦ୍ଧଂଦେହୀ ଡାକରା । କେନ୍ଦ୍ରର ଏନଡିଏ ସରକାର ବିରୋଧରେ ମହାସଂଗ୍ରାମର ଆହ୍ବାନ । ରାମଲୀଳା ମଇଦାନରୁ ରାହୁଲ ଗାନ୍ଧୀଙ୍କ ହୁଙ୍କାର । କହିଲେ- ବିଜେପି ସରକାର ଆସିବା ଦିନୁ ଦେଶରେ ଘୃଣା ବଢ଼ିଛି । ଦେଶବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ବିଜେପି ଓ ଆରଏସଏସ ଦେଶକୁ ଭାଗ ଭାଗ କରିବାକୁ ଯୋଜନା କରୁଛନ୍ତି । ଏହାର ଫାଇଦା ଦୁଇ ଜଣ କୋଟିପତି ନେଉଛନ୍ତି ।

ସେ ଆଗକୁ କହିଛନ୍ତି, ‘କେନ୍ଦ୍ର ସରକାର କୃଷକଙ୍କ ପ୍ରଗତି ବଦଳରେ ଆଣୁଛନ୍ତି କଳା ଆଇନ । ଏଲପିଜି, ପେଟ୍ରୋଲ ଓ ଡିଜେଲର ଦର ଆକାଶ ଛୁଆଁ ହୋଇଛି । ମହଙ୍ଗା ମାଡରେ ଦେଶବାସୀ ଅସ୍ତବ୍ୟସ୍ତ । ମିଡିଆ, ପ୍ରେସ ଓ ବିଚାର ବିଭାଗ ଉପରେ ଆକ୍ରମଣ କରାଯାଉଛି । ୟୁପିଏ ସମୟରେ ୨୭ କୋଟି ଲୋକଙ୍କୁ ଦାରିଦ୍ର୍ୟତାରୁ ମୁକ୍ତ କରାଯାଇଥିବାବେଳେ ଏନଡିଏ ସରକାର ଅମଳରେ ୨୩ କୋଟି ଲୋକଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲି ଦିଆଯାଇଛି ।’

କଂଗ୍ରେସର ଏହି ହଲ୍ଲା ବୋଲ୍ ରାଲିରେ ବିଭିନ୍ନ ରାଜ୍ୟର ହେଭିଓ୍ବେଟ ଯୋଗ ଦେଇଥିଲେ । ରାଲିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।  ସମ୍ବେଦନଶୀଳ ଅଞ୍ଚଳରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯାଇଛି । ରଞ୍ଜିତ ସିଂ ଫ୍ଲାଏ ଓଭର, ବିବେକାନନ୍ଦ ମାର୍ଗ, ଜବାହରଲାଲ ନେହେରୁ ମାର୍ଗ, ଚମନଲାଲ ମାର୍ଗ ତଥା ଅନ୍ୟାନ୍ୟ କେତେକ ପ୍ରମୁଖ ସ୍ଥଳରେ ଟ୍ରାଫିକ କଟକଣା କରାଯାଇଛି ।