ପାଟନା ହାଇକୋର୍ଟରୁ ରାହୁଲଙ୍କୁ ଅନ୍ତରୀଣ ଆଶ୍ବସ୍ତି, ମେ’ ୧୬ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ବସ୍ତି । ମୋଦି ସାଙ୍ଗିଆ ମାମଲାରେ ପାଟନା ହାଇକୋର୍ଟରୁ ରାହୁଲଙ୍କୁ ଅନ୍ତରୀଣ ଆଶ୍ବସ୍ତି ମିଳିଛି । ଆସନ୍ତାକାଲି  ହାଜର ହେବାକୁ ନିର୍ଦ୍ଦେଶ ଥିବା ବେଳେ ଆଜି ମାମଲାର ପ୍ରୋସିଡିଂ ଉପରେ କୋର୍ଟ ସ୍ଥଗିତାଦେଶ ଦେଇଛନ୍ତି । ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମୋଦି ସାଙ୍ଗିଆ ମାମଲା ନେଇ ବିଜେପି ନେତା ସୁଶୀଲ କୁମାର ମୋଦି ପିଟିସନ ଦାଏର କରିଥିଲେ ।

୨୦୧୯ ଏପ୍ରିଲରେ କର୍ଣ୍ଣାଟକରେ ମୋଦି ସରନେମକୁ ନେଇ ବିବାଦୀୟ ବୟାନ ପରେ ରାହୁଲଙ୍କ ବିରୋଧରେ ଦାୟର ହୋଇଥିଲା ମାନହାନି ମାମଲା । ସୁରଟର ସିଜେଏମ କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ । ପରେ ରାହୁଲଙ୍କ ସାଂସଦ ସଦସ୍ୟତା ରଦ୍ଦ କରିଥିଲେ ଲୋକସଭା ବାଚସ୍ପତି ।

ସିଜେଏମ କୋର୍ଟଙ୍କ ରାୟକୁ ସୁରଟର ସେସନ୍ସ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ ଗାନ୍ଧୀ । ରାୟ ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି ରାହୁଲ ।