ଭାରତ ଯୋଡ଼ ଯାତ୍ରା ମଝିରେ ରାହୁଲଙ୍କୁ ହତ୍ୟା ଧମକ

ଇନ୍ଦୋର: ଭାରତ ଯୋଡ଼ ଯାତ୍ରା ମଝିରେ ରାହୁଲଙ୍କୁ ହତ୍ୟା ଧମକ । ଇନ୍ଦୋରର ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲଙ୍କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି । ଜୁନି ଇନ୍ଦୋର ଥାନା ଅଞ୍ଚଳରେ ଥିବା ଏକ ମିଠା ଦୋକାନରୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି । ୨୪ ନଭେମ୍ବର ସୁଦ୍ଧା ରାହୁଲଙ୍କ ଭାରତ ଯୋଡ଼ ପଦଯାତ୍ରା ଇନ୍ଦୋରରେ ପହଞ୍ଚିବ । ସେଠାରେ ଖାଲସା ଷ୍ଟାଡିୟମରେ ରାହୁଲ ରାତ୍ରୀ ବିଶ୍ରାମ କରିବା କାର୍ଯ୍ୟକ୍ରମ ରହିଛି । ସେହି ସମୟରେ କିଛି ଅଘଟଣ କରିବା ଯୋଜନା କରାଯାଇଛି ବୋଲି ପୋଲିସ ସନ୍ଦେହ କରୁଛି ।

ରାହୁଲଙ୍କ ମନ୍ତବ୍ୟକୁ ନେଇ ଏଭଳି ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି । ଅନ୍ୟପଟେ ମୁମ୍ବାଇରେ ମଧ୍ୟ ଆଜି ରାହୁଲଙ୍କ ମନ୍ତବ୍ୟକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ସେପଟେ ମହାରାଷ୍ଟ୍ରର ବୁଲଧାନା ଜିଲ୍ଲାରେ ଆଜି ସକାଳୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥିରେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ସାମିଲ ହୋଇଥିଲେ । ଏହାସହ ବହୁ ଲେଖକ ଓ ସାମାଜିକ କର୍ମୀ ପଦଯାତ୍ରାରେ ଯୋଡ଼ି ହୋଇଥିଲେ । ସେପ୍ଟେମ୍ବର ୭ ତାରିଖରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆସନ୍ତା ୨୦ ତାରିଖରେ ମଧ୍ୟପ୍ରଦେଶରେ ପ୍ରବେଶ କରିବ। ଫେବୃଆରୀ ଶେଷ ସୁଦ୍ଧା ଏହି ପଦଯାତ୍ରା କାଶ୍ମୀରରେ ପହଞ୍ଚିବ ।