ନାମାଙ୍କନ ଭରିଲେ ରାହୁଲ ଗାନ୍ଧୀ ଓ କିଶୋରୀଲାଲ ଶର୍ମା
1 min read
ରାଏବରେଲୀ: ଉତ୍ତରପ୍ରଦେଶର ଦୁଇ ସମ୍ମାନଜନକ ଆସନ ରାଏବରେଲୀ ଓ ଆମେଥିରୁ ନାମାଙ୍କନ ଭରିଲେ ରାହୁଲ ଗାନ୍ଧୀ ଓ କିଶୋରୀଲାଲ ଶର୍ମା। କିଛି ଦିନ ଧରି ରାଏବରେଲୀରୁ କିଏ ପ୍ରାର୍ଥୀ ହେବେ ସେନେଇ ଜାରି ରହିଥିଲା ସସପେନ୍ସ। ତେବେ ଆଜି ସମସ୍ତ କଳ୍ପନାଜଳ୍ପନାର ଅବସାନ ପରେ ରାଏବରେଲୀ ଲାଗି ରାହୁଲଙ୍କ ନାମ ଘୋଷଣା କରିଥିଲା କଂଗ୍ରେସ।
ଏକ ବିଶାଳ ଶୋଭାଯାତ୍ରାରେ ଯାଇ ରାହୁଲ ନାମାଙ୍କନ ଭରିଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ। ସେପଟେ ଆମେଥି ଆସନ ଲାଗି ନାମାଙ୍କନ ଭରିଛନ୍ତି କଂଗ୍ରେସ ପ୍ରାର୍ଥୀ କିଶୋରୀଲାଲ ଶର୍ମା। ଗାନ୍ଧୀ ପରିବାରର ଅତି ବିଶ୍ବସ୍ତ ନେତା ଭାବେ କିଶୋରୀଲାଲ ନିଜର ହଜାର ହଜାର ସମର୍ଥକଙ୍କ ସହ ଯାଇ ନାମାଙ୍କନ ଭରିଥିଲେ। ଆମେଥିରୁ ପୂର୍ବରୁ ବିଜେପିର ସ୍ମୃତି ଇରାନୀ ନାମାଙ୍କନ ଦାଖଲ କରିସାରିଛନ୍ତି।
ରାୟବରେଲୀରୁ ବିଜେପି ଦୀନେଶ ପ୍ରତାପ ସିଂହଙ୍କୁ ଟିକେଟ ଦେଇଛି। ଦୀନେଶ ପ୍ରତାପ ସିଂହ ୨୦୧୯ରେ ରାୟବରେଲୀରେ ସୋନିଆ ଗାନ୍ଧିଙ୍କ ବିପକ୍ଷରେ ନିର୍ବାଚନ ଲଢିଥିଲେ। ୨୦୧୯ରେ ସୋନିଆ ଗାନ୍ଧିଙ୍କ ଠାରୁ ଦିନେଶ ପ୍ରତାପ ସିଂହ ୧ ଲକ୍ଷ ୬୦ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ। ଆମେଥି ଏବଂ ରାୟବରେଲୀ ଗାନ୍ଧି-ନେହରୁ ପରିବାର ପାରମ୍ପରିକ କ୍ଷେତ୍ର ଭାବେ ରହିଛି। ଅନେକ ଦଶକ ଧରି ଏହି ପରିବାର ଦୁଇ ଆସନରୁ ପ୍ରତିନିଧିତ୍ଵ କରି ଆସୁଛନ୍ତି।ତେବେ ୨୦୧୯ରେ ରାହୁଲ ଆମେଥିରୁ ନିର୍ବାଚନ ହାରି ଯାଇଥିଲେ।
ତେବେ ରାହୁଲ ଗାନ୍ଧି ଏବେ ୱାୟନାଡରୁ ସାଂସଦ ଅଛନ୍ତି। ଚଳିତ ଥର ମଧ୍ୟ କେରଳ ୱାୟନାଡ ଆସନରୁ ନିର୍ବାଚନ ଲଢୁଛନ୍ତି ରାହୁଲ। ଦ୍ଵିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ରେ ୱାୟନାଡରେ ଭୋଟଗ୍ରହଣ ସରିଛି। ୨୦୦୪ରୁ ୨୦୨୪ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ରାୟବରେଲୀରୁ ପ୍ରତିନିଧିତ୍ଵ କରିଥିଲେ। ଏହା ପୂର୍ବରୁ ସୋନିଆ ଗାନ୍ଧି ରାଜନୀତି ପ୍ରବେଶ କରିବା ପରେ ଆମେଥିରୁ ପ୍ରତିନିଧିତ୍ଵ କରିଥିଲେ। ୧୯୯୯ରେ ପ୍ରଥମଥର ଲାଗି ଆମେଥିରୁ ନିର୍ବାଚନ ଲଢିଥିଲେ ସୋନିଆ ଗାନ୍ଧି।