ରାହୁଲଙ୍କ ଲୋକସଭା ଭାଷଣରେ ଚାଲିଲା କଂଇଚି, ହଟିଲା ବିବାଦୀୟ ଅଂଶ

ନୂଆଦିଲ୍ଲୀ : ସଂସଦ ଅଧିବେଶନର ଷଷ୍ଠ ଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଭିଭାଷଣକୁ ନେଇ ବଡ଼ ହଙ୍ଗାମା ସୃଷ୍ଟି ହୋଇଛି । ରାହୁଲଙ୍କ ଅଢେଇ ଘଣ୍ଟାର ଭାଷଣରେ ସେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ସଂସଦରେ ତୁମ୍ଭି ତୋଫାନ ଆରମ୍ଭ ହୋଇଯାଇଥିଲା । ଏହି ବିବାଦୀୟ ମନ୍ତବ୍ୟରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲା ବିଜେପି । ସେପଟେ ରାହୁଲଙ୍କ ଭାଷଣରୁ ଏହି ବିବାଦୀୟ ବୟାନକୁ ଗୃହ ପ୍ରକ୍ରିୟାରୁ ହଟାଇ ଦିଆଯାଇଛି । ଏପରି କରିବାକୁ ନିଜେ ବାଚସ୍ପତି ଓମ୍ ବିର୍ଲା ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ରାହୁଲଙ୍କ ଭାଷଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ଆସନରୁ ଦୁଇଥର ଉଠି ଉତ୍ତର ମଧ୍ୟ ଦେବାକୁ ପଡିଥିଲା।
ସୋମବାର ସଂସଦ ଅଧିବେଶନରେ ସାଂସଦ ରାହୁଲ ଗାନ୍ଧୀ ଲୋକସଭାରେ ନିଜର ମତ ଉପସ୍ଥାପନ କରିଥିଲେ। ଏହି ସମୟରେ ସେ ଏପରି ଅନେକ କଥା କହିଥିଲେ ଯେଉଁଥିରେ ଶାସକ ଦଳ ବିଶେଷ କରି ବିଜେପି ଦୃଢ ବିରୋଧ କରିଥିଲେ । ପ୍ରାୟ ଅଢେଇ ଘଣ୍ଟା ଧରି ଚାଲିଥିବା ରାହୁଲଙ୍କ ଭାଷଣକୁ ଏନଡିଏ ନେତାମାନେ ମଧ୍ୟ ବିରୋଧ କରିଥିଲେ। ବାଚସ୍ପତି ଓମ ବିର୍ଲା ନିଜେ ତାଙ୍କୁ ଭଲଭାବେ କହିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ। ଏବେ ସଂସଦରୁ ହିନ୍ଦୁମାନଙ୍କ ବିଷୟରେ ତାଙ୍କ ବିବୃତ୍ତି ସମେତ ଭାଷଣର କିଛି ଅଂଶ ବର୍ତ୍ତମାନ ଗୃହ ପ୍ରକ୍ରିୟାରୁ ହଟାଇ ଦିଆଯାଇଛି।
ରାହୁଲ ଗାନ୍ଧୀଙ୍କ ବିବାଦୀୟ ଭାଷଣକୁ ନେଇ କିଛି ବିଜେପି ନେତାମାନେ ତାଙ୍କୁ କ୍ଷମା ମାଗିବାକୁ କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଜେପି ନାଡ୍ଡା, ଅଶ୍ୱିନୀ ବୈଷ୍ଣବ ଏବଂ ଏନଡିଏ ନେତା ଚିରାଗ ପାସୱାନଙ୍କ ସମେତ ଶାସକ ଦଳର ବହୁ ସାଂସଦ ରାହୁଲଙ୍କୁ କ୍ଷମା ମାଗିବାକୁ କହିଛନ୍ତି। ରାହୁଲଙ୍କ ଭାଷଣ ସମୟରେ ଅନେକ ଥର ରାଜନାଥ ସିଂ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଆସନରୁ ଉଠି ରାହୁଲଙ୍କ କଥାକୁ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା।