କଣ ପାଇଁ ରାହୁଲ କହିଲେ ଏବେ ପ୍ରଥମ ଅଧ୍ୟାୟ ଆରମ୍ଭ ବି ହୋଇନାହିଁ ?
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣି ଆକ୍ରମଣ କରିଛନ୍ତି । କରୋନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତିକୁ ସେ ସମାଲୋଚନା କରିଛନ୍ତି । କହିଛନ୍ତି ଯେ, ଦୁଇ ମାସ ତଳେ ପ୍ରଧାନମନ୍ତ୍ରୀ କହିଥିଲେ ଆମେ ୨୧ ଦିନରେ କରୋନା ଭାଇରସକୁ ହରାଇ ଦେବକୁ କିନ୍ତୁ ୬୦ ଦିନ ପରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତୀବ୍ରଗତିରେ ବୃଦ୍ଧି ପାଉଛି । ଅନ୍ୟ ଦେଶରେ ଲକଡାଉନ ବଢାଯାଉଥିବା ବେଳେ ଆମ ଦେଶରେ ଲକଡାଉନ୍ ହଟିବାକୁ ଯାଉଛି । ଦେଶରେ ଲକଡାଉନ ଲକ୍ଷ୍ୟ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି ।
ଚାରି ପର୍ଯ୍ୟାୟର ଲକଡାଉନରୁ କିଛି ମିଳିଲାନି
ରାହୁଲଙ୍କ ଅନୁସାରେ ୪ ପର୍ଯ୍ୟାୟର ଲକଡାଉନରୁ କିଛି ମଧ୍ୟ ସୁଫଳ ମିଳି ନାହିଁ । ଲକଡାଉନ୍ ଫେଲ ହୋଇଛି,ଏବେ ସରକାରଙ୍କ ପାଖରେ ପ୍ଲାନ୍ ବି କଣ ଅଛି ବୋଲି ସେ ପଚାରିଛନ୍ତି । ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଫ୍ରଣ୍ଟଫୁଟରେ ଖେଳୁଥିଲେ କିନ୍ତୁ ଏବେ ସେ ବ୍ୟାକଫୁଟରେ ଅଛନ୍ତି ।
ପ୍ୟାକେଜ ଦ୍ୱାରା କିଛି ହେବ ନାହିଁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପ୍ୟାକେଜ୍ ଦେଇଛନ୍ତି ତା’ଦ୍ୱାରା ଦେଶକୁ କିଛି ମଧ୍ୟ ଲାଭ ମିଳିବ ନାହିଁ ବୋଲି ରାହୁଲ କହିଛନ୍ତି । ଗରିବଙ୍କୁ ଅଧିକ ଟଙ୍କା ଦିଆଗଲେ ବାହାର ଦେଶକୁ ଖରାପ ସନ୍ଦେଶ ଯିବ ବୋଲି ସରକାରରେ ବସିଥିବା ନୀତିନିର୍ଧାରକ ମାନେ ଭାବୁଛନ୍ତି କିନ୍ତୁ ଏହି ଗରିବ ମାନେ ହିଁ ଦେଶର ଶକ୍ତି ବୋଲି ରାହୁଲ କହିଛନ୍ତି ।
ଶ୍ରମିକଙ୍କ ଆସ୍ଥା ହରାଇଛନ୍ତ ସରକାର
ପ୍ରବାସୀ ଶ୍ରମିକଙ୍କ ପଳାୟନକୁ ନେଇ ରାହୁଲ କହିଛନ୍ତି ଯେ,ସରକାର ଶ୍ରମିକଙ୍କ ଆସ୍ଥା ହରାଇଛନ୍ତି । ସରକାର ଏବେବି ଶ୍ରମିକଙ୍କୁ ସହାୟତା କରିପାରିବେ । ସବୁ ଶ୍ରମିକଙ୍କ ଖାତାକୁ ୭ ହଜାର ୫ଶହ ଟଙ୍କା ଦେଇପାରିବେ ।