କଂଗ୍ରେସ ଶାସିତ ରାଜ୍ୟରେ ହେବ ଜାତିଗତ ଜନଗଣନା, ଘୋଷଣା କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ହେବ ଜାତିଗତ ଜନଗଣନା । ଏନେଇ ଘୋଷଣା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ସୋମବାର କହିଛନ୍ତି, କଂଗ୍ରେସ କାର୍ଯ୍ୟସମିତି (ସିଡବ୍ଲୁସିର)ର ଚାରିଘଣ୍ଟା ହୋଇଥିବା ବୈଠକରେ ଐତିହାସିକ ନିଷ୍ପତି ନିଯାଇଛି ଯେ କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ଜାତିଗତ ଜନଗଣନା କରାଯିବ । ରାହୁଲ ଗାନ୍ଧି କହିଛନ୍ତି ଯେ, ସିଡବ୍ଲୁସିର ବୈଠକରେ ଜାତିଗତ ଜନଗଣନାର ଐତିହାସିକ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି ।

କଂଗ୍ରେସ ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀମାନେ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ହିମାଚଳପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଏବଂ ଛତିଶଗଡ଼ରେ ଜାତିଗତ ଜନଗଣନା କରାଇବେ । ଏହି ସମ୍ବନ୍ଧରେ ଏକ ପ୍ରସ୍ତାବ ପାରିତ କରାଯାଇଛି । ସେ କହିଛନ୍ତି, ସମ୍ପୂର୍ଣ୍ଣ କଂଗ୍ରେସ ଦଳ ଏହି ନିଷ୍ପତ୍ତି ନେଇଛି । ଇଣ୍ଡିଆ ମେଣ୍ଟର ଅଧିକତମ ଦଳ ମଧ୍ୟ ଜାତିଗତ ଜନଗଣନା ଉପରେ ସହମତି ପ୍ରକାଶ କରିଛନ୍ତି । ରାହୁଲ ଆଗକୁ କହିଛନ୍ତି ଏହା ଧର୍ମ ବା ଜାତି ସମ୍ପର୍କରେ ନୁହେଁ । ଏହି ଜାତିଗତ ଜନଗଣନା ଗରିବ ଲୋକମାନଙ୍କ ପାଇଁ ଅଟେ ।