ଗୌତମ ଆଦାନୀଙ୍କୁ ଗିରଫ କର : ରାହୁଲ ଗାନ୍ଧୀ
1 min readନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଆଦାନୀଙ୍କ ଗିରଫ ଦାବି କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପ୍ରେସମିଟ କରି ରାହୁଲ କେନ୍ଦ୍ର ସରକାର ଓ ଗୌତମ ଆଦାନୀଙ୍କ ମଧୁଚନ୍ଦ୍ରିକାକୁ ଟାର୍ଗେଟ କରିଛନ୍ତି । ବିଜେପିର ଏକ ହୈ ତୋ ସେଫ ହୈ ନାରାକୁ ନେଇ କଟାକ୍ଷ କରିଛନ୍ତି ରାହୁଲ । କେନ୍ଦ୍ର ସରକାର ଓ ଆଦାନୀ ଏକ ହୋଇଥିବାରୁ ସେମାନେ ଏବେ ସୁରକ୍ଷିତ । ଦେଶରେ ଆଦାନୀଙ୍କର କେହି କିଛି କରିପାରିବେ ନାହିଁ । ଯେଉଁଠି ଜଣେ ମୁଖ୍ଯମନ୍ତ୍ରୀ ୧୦ରୁ ୧୫ କୋଟି ହଡ଼ପ ଅଭିଯୋଗରେ ବନ୍ଧା ହୋଇଯାଉଛନ୍ତି ସେଇଠି ଆଦାନୀ ଦୁଇ ହଜାର କୋଟି ସ୍କାମ କରି ନିର୍ଭୟରେ ବିଚରଣ କରୁଛନ୍ତି । ଏହା କି ପ୍ରକାର ନୀତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । ଆମେରିକାରେ ଆଦାନୀ ଅପରାଧ କରିଛନ୍ତି । ସୌର ଯୋଜନାରେ ନିଜ କମ୍ପାନୀ ପାଇଁ କଣ୍ଟ୍ରାକ୍ଟ ହାସଲ କରିବାକୁ ଆଦାନୀ ଓ ତାଙ୍କ ପୁତୁରାଙ୍କ ସହ ଅନ୍ୟ ୭ ଜଣ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ-ଏସଇସି ପକ୍ଷରୁ ଏହି ଅଭିଯୋଗ ଆସିଛି । ତାଙ୍କ ବିରୋଧରେ ଜାରି ହୋଇଛି ଗିରଫ ଓ୍ୱାରେଣ୍ଟ। କେବଳ ସେ ଏକା ନୁହନ୍ତି ତାଙ୍କ ପୁତୁରା ସାଗର ଆଦାନୀ ବିରୋଧରେ ମଧ୍ୟ ଗିରଫ ଓ୍ୱାରେଣ୍ଟ ଜାରି ହୋଇଛି। ଆମେରିକାର ଏକ କୋର୍ଟ ଏହି ଓ୍ୱାରେଣ୍ଟ ଜାରି କରିଛନ୍ତି । ଏହାକୁ ନେଇ ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ବିଜେପିକୁ ଘେରିଛନ୍ତି ବିରୋଧୀ। ୨୦୨୦ରୁ ୨୦୨୪ ମଧ୍ୟରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। କଣ୍ଟ୍ରାକ୍ଟ ଜରିଆରେ ୨୦ ବର୍ଷ ଭିତରେ ଆଦାନୀ ଗୃପକୁ ୨ ଆରବ ଡଲାରର ଲାଭ ହେବ ବୋଲି ଆକଳନ କରାଯାଇଛି । ଲାଞ୍ଚ ଦେବା ଏବଂ ଏହାକୁ ଲୁଚାଇବା ନେଇ ଦୁଇଟି ଅଭିଯୋଗ ଆଣିଛି ଆମେରିକାର ଏସ୍ଇସି। ଏହାକୁ ନେଇ ଆମେରିକାର ଏକ କୋର୍ଟରେ ଶୁଣାଣି ହୋଇଛି। ଏହାପରେ ଉଭୟ ଗୌତମ ଆଦାନୀ ଓ ତାଙ୍କ ପୁତୁରାଙ୍କ ବିରୋଧରେ ଗିରଫ ଓ୍ୱାରେଣ୍ଟ ଜାରି କରାଯାଇଛି। ଅନ୍ଯପଟେ ଏ ନେଇ ସେୟାର ବଜାରରେ ହ୍ରାସ ଦେଖିବାକୁ ମିଳିଛି । ବଜାର ଖୋଲିବା ପରଠାରୁ ସେୟାର ତଳମୁହାଁ ହୋଇଚାଲିଛି ।