ଓମ ବିର୍ଲାଙ୍କୁ ବିରୋଧୀ ଦଳ ନେତାଙ୍କ ଅପିଲ୍‌, ଆମକୁ ବି ସୁଯୋଗ ମିଳୁ

ନୂଆଦିଲ୍ଲୀ: ପୁଣି ଥରେ ଲୋକସଭା ବାଚସ୍ପତି ହୋଇଛନ୍ତି ଓମ ବିର୍ଲା  । ଦ୍ବିତୀୟ ଥର ପାଇଁ ବିଜେପି ଓମ ବିର୍ଲାଙ୍କୁ ବାଚସ୍ପତି ଚୟନ କରିଛି । ଅଷ୍ଟାଦଶ ଲୋକସଭାରେ ବାଚସ୍ପତି ଦାୟିତ୍ବ ତୁଲାଇବେ ଓମ ବିର୍ଲା  । ଏହା ପୂର୍ବରୁ ବି ସେ ଲୋକସଭା ବାଚସ୍ପତି ଥିଲେ  । ଦ୍ବିତୀୟ ଥର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ଓମ ବର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି  ।

ଏହି ଅବସରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ବିରୋଧୀ ଦଳ ଭାରତର ସ୍ବର ଅଟନ୍ତି  । ମୁଁ ଆଶା କରୁଛି ଯେ ଆମକୁ ସ୍ବର ଉଠାଇବା ପାଇଁ ସୁଯୋଗ ମିଳିବ  । ବିରୋଧୀଙ୍କ ସ୍ବର ଦବାଇବା ଅଲୋକତାନ୍ତ୍ରିକ ହେବ  । ସେମାନଙ୍କୁ ଚୁପ୍‌ କରାଇ ସଂସଦ ଚାଲି ପାରିବ ନାହିଁ  । ବିରୋଧୀ ସରକାରଙ୍କୁ ସହଯୋଗ କରିବାକୁ ଚାହେଁ  । ଆମକୁ କଥା କହିବାକୁ ହକ୍‌ ମିଳିବା ଦରକାର  ।

ଓମ ବିର୍ଲାଙ୍କୁ ଲୋକସଭା ଅଧ୍ୟକ୍ଷ ହେବା ପରେ ଅଭିନନ୍ଦନ ଜଣାଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ତଥା ସାଂସଦ ଅଖିଳେଶ ଯାଦବ । ଏହି ପଦ ସହ ବହୁତ ଗୌରବମୟ ପରମ୍ପରା ଯୋଡି ହୋଇ ରହିଛି  । ବିନା ଭେଦଭାବରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିବ । ଅଧ୍ୟକ୍ଷ ଭାବେ ପ୍ରତି ସାଂସଦ ଓ ଦଳକୁ ସମାନ ସୁଯୋଗ ମିଳିବା ଉଚିତ  । କୌଣସି ଜନ ପ୍ରତିନିଧିଙ୍କ ସ୍ବର ନ ଦବାଇ ଉଚିତ କାର୍ଯ୍ୟାନୁଷ୍ଠାନ ନେଇ ଗୃହର ମର୍ଯ୍ୟାଦା ବାଚସ୍ପତି ରକ୍ଷା କରିବେ ବୋଲି ଅଖିଳେଶ କହିଛନ୍ତି  ।