କଂଗ୍ରେସ କର୍ମୀଙ୍କୁ ରାହୁଲଙ୍କ ନିବେଦନ, ଏଥର ହେବନି ସେଲିବ୍ରେସନ

1 min read

ନୂଆଦିଲ୍ଲୀ: ୫୨ ବର୍ଷରେ ପାଦ ଦେଲେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । କିନ୍ତୁ ଏଥର ଜନ୍ମଦିନ ପାଳିବେନି ରାହୁଲ । ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶରେ ଅସନ୍ତୋଷ ନିଆଁ ଜଳୁଛି । ଯୁବପୀଢୀ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ସେମାନଙ୍କୁ ସମର୍ଥନ କରିବା ପାଇଁ କଂଗ୍ରେସ କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି ରାହୁଲ ।

ଆଜି ରାହୁଲ ଜନ୍ମଦିନ ପାଳିବେ ନାହିଁ ବୋଲି AICC ସାଧାରଣ ସମ୍ପାଦକ (ଯୋଗାଯୋଗ) ଜୟରାମ ରମେଶ ଟ୍ବିଟ କରି ଜଣାଇଛନ୍ତି । ଦେଶରେ ସ୍ଥିତି ଚିନ୍ତାଜନକ ରହିଛି  । ଅଗ୍ନିପଥ ଯୋଜନାକୁ ନେଇ ଜଳୁଛି ଦେଶ । କୋଟିକୋଟି ଯୁବପୀଢୀ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଦୁଃଖିତ ଅଛନ୍ତି । ଏହି ସମୟରେ ଯୁବବର୍ଗ ଓ ସେମାନଙ୍କ ପରିବାର ସହ କଂଗ୍ରେସ ଛିଡା ହେବା ଉଚିତ ବୋଲି କହିଛନ୍ତି ରାହୁଲ  ।

ପ୍ରତ୍ୟେକ କଂର୍ଗେସ କର୍ମୀ ଓ ଶୁଭଚିନ୍ତକଙ୍କୁ ଜନ୍ମଦିନରେ କୌଣସି ପ୍ରକାର ସେଲିବ୍ରେସନ ନ କରିବାକୁ ନିବେଦନ କରିଛନ୍ତି ରାହୁଲ ।

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସେ ବିରୋଧ କରୁଛନ୍ତି । କୃଷି ଆଇନ ଭଳି କ୍ଷମାବୀର ସାଜି ଦେଶର ଯୁବପୀଢୀଙ୍କୁ କ୍ଷମା ମାଗି ମୋଦି ସରକାର ଅଗ୍ନିପଥ ଯୋଜନାକୁ ଫେରାଇ ନେବା ଉଚିତ । ୮ ବର୍ଷ ଧରି ଲଗାତାର ଭାଜପା ସରକାର ଜୟ ଜବାନ ଜୟ କିଷାନ ଅର୍ଥକୁ କଦର୍ଥ କରିଥିବା ଟ୍ବିଟ କରି କ୍ଷୋଭ ପ୍ରକାଶ କରିଛନ୍ତି ରାହୁଲ ।