ନନ୍ଦିଘୋଷ ବ୍ୟୁରୋ : ରାହୁଲ ଦ୍ରାବିଡଙ୍କ ବ୍ୟାଟିଂ ଦକ୍ଷତାକୁ ତ ସମସ୍ତେ ଜାଣନ୍ତି । କିନ୍ତୁ ତାଙ୍କ ପୁଅ ଏବେ ଦମଦାର ବ୍ୟାଟିଂ କରି ସମ୍ମାନିତ ହୋଇଛନ୍ତି । ରାହୁଲ ଦ୍ରାବିଡଙ୍କ ସାନ ପୁଅକୁ ଅନଭୟ ଦ୍ରାବିଡ ଅକ୍ଟୋବର ୫ ତାରିଖରେ ଅନୁଷ୍ଠିତ KSCA ବାର୍ଷିକ ପୁରସ୍କାର ସମାରୋହରେ ସମ୍ମାନିତ ହୋଇଛନ୍ତି । ଅନଭୟ ଦ୍ରାବିଡ କ୍ରିକେଟ୍ କ୍ଷେତ୍ରରେ ତାଙ୍କର ଦମଦାର ପ୍ରଦର୍ଶନ ପାଇଁ ଏହି ସମ୍ମାନ ପାଇଛନ୍ତି। ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ କର୍ଣ୍ଣାଟକ ପାଇଁ ସର୍ବାଧିକ ରନ ସ୍କୋର କରିବା ପାଇଁ ତାଙ୍କୁ KSCA ଦ୍ୱାରା ବାର୍ଷିକ ପୁରସ୍କାର ସମାରୋହରେ ସମ୍ମାନିତ କରାଯାଇଛି।
୪୮ଟି ଛକା ଓ ଚୌକା ସହିତ ୪୫୯ ରନ୍ କରିବା ପାଇଁ ଅନଭୟ ଦ୍ରାବିଡଙ୍କୁ KSCA ଦ୍ୱାରା ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ରନ୍ ଗୋଟିଏ ମ୍ୟାଚ୍ କିମ୍ବା ଇନିଂସରେ ନୁହେଁ, ବରଂ ଛଅଟି ମ୍ୟାଚରେ ୮ଟି ଇନିଂସରେ ୯୧.୮୦ ହାରରେ କରାଯାଇଥିଲା । ଯେଉଁଥିରେ ଦୁଇଟି ଶତକ ଅନ୍ତର୍ଭୁକ୍ତ। ଏହି ସମୟ ମଧ୍ୟରେ ସେ ୪୬ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଦ୍ରାବିଡ କର୍ଣ୍ଣାଟକ ପାଇଁ ସର୍ବାଧିକ ରନ୍ ସ୍କୋରର ଅଟନ୍ତି ଓ ଟୁର୍ଣ୍ଣାମେଣ୍ଟରେ ତାଙ୍କର ସର୍ବାଧିକ ହାର ମଧ୍ୟ ଅଛି।
କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘର ବାର୍ଷିକ ପୁରସ୍କାର ଉତ୍ସବରେ ଅନଭୟ ଦ୍ରାବିଡ ଏକା ସମ୍ମାନିତ ନଥିଲେ। ରାହୁଲ ଦ୍ରାବିଡଙ୍କ ପୁଅଙ୍କ ସହ ମୟଙ୍କ ଅଗ୍ରୱାଲ ଏବଂ ଆର. ସ୍ମରନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ବିଜୟ ହଜାରେ ଟ୍ରଫିରେ କର୍ଣ୍ଣାଟକର ସର୍ବାଧିକ ରନ ସ୍କୋରର ହେବା ପାଇଁ ମୟଙ୍କ ଅଗ୍ରୱାଲଙ୍କୁ ଏହି ପୁରସ୍କାର ମିଳିଥିଲା, ସେ ୯୩ ହାରରେ ୬୫୧ ରନ ସଂଗ୍ରହ କରିଥିଲେ। ଯୁବ ଖେଳାଳି ଆର. ସ୍ମରନଙ୍କୁ ରଣଜୀ ଟ୍ରଫିରେ ତାଙ୍କ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଥିଲା। ବାମହାତୀ ବ୍ୟାଟସମ୍ୟାନ ସ୍ମରନ ଦୁଇଟି ଶତକ ସହିତ ୬୪.୫୦ ହାରରେ ୫୧୬ ରନ କରିଥିଲେ।
କର୍ଣ୍ଣାଟକ ୱିକେଟକିପର-ବ୍ୟାଟସମ୍ୟାନ୍ କେଏଲ ଶ୍ରୀଜିତଙ୍କୁ ମଧ୍ୟ କେଏସସିଏ ପୁରସ୍କାର ଉତ୍ସବରେ ସମ୍ମାନିତ କରାଯାଇଥିଲା। ସେ ସୟଦ ମୁସ୍ତାକ ଅଲି ଟ୍ରଫିରେ ସର୍ବାଧିକ ୨୧୩ ରନ ସ୍କୋର କରିବା ପାଇଁ ଏହି ପୁରସ୍କାର ପାଇଥିଲେ।

