ମିଡିଆ ସାମ୍ନାକୁ ଆସିବାକୁ ବିରାଟଙ୍କୁ ବାରଣ କରିଛି ଟିମ୍ ମ୍ୟାନେଜମେଣ୍ଟ, କାହିଁକି ଜାଣନ୍ତୁ…
1 min readଜୋହାନ୍ସବର୍ଗ: ଡିସେମ୍ବର ୨୬ରୁ ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ । ଏହି ତିନି ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଇଥିଲା । ଯେଉଁ ମ୍ୟାଚକୁ ଭାରତ ୧୧୩ ରନରେ ବିଜୟଲାଭ କରି ସିରିଜରେ ୧-୦ରେ ଆଗୁଆ ରହିଛି । ତେବେ ଏହି ସିରିଜ୍ ଆରମ୍ଭ ପୂର୍ବରୁ ହୋଇଥିବା ପ୍ରେସ କନଫରମେନ୍ସରେ ବିରାଟ କୋହଲିଙ୍କ ସ୍ଥାନରେ ଆସିଥିଲେ ମୁଖ୍ୟ କୋଚ ରାହୁଲ ଦ୍ରାବିଡ । ଦ୍ରାବିଡଙ୍କ ସହ ବିରାଟ ମଧ୍ୟ ଉପସ୍ଥିତ ନଥିଲେ । ଆଉ ଏବେ ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସମସ୍ତେ ଚାହିଁଥିଲେ କି ବିରାଟ ମିଡିଆ ସାମ୍ନାକୁ ଆସିବେ । କିନ୍ତୁ ତାହା ହୋଇନାହିଁ । ବିରାଟଙ୍କ ସ୍ଥାନରେ ପୁଣି ଥରେ ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମିଡିଆ ସାମ୍ନାକୁ ଆସିଥିଲେ ।
ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଯିବା ପୂର୍ବରୁ ହୋଇଥିବା ପ୍ରେସ କନଫରମେନ୍ସରେ ମିଡିଆ ସାମ୍ନାକୁ ଆସିଥିଲେ ବିରାଟ । ଏବଂ ଏହି ପ୍ରେସ କନଫରମେନ୍ସରେ ଅନେକ ପ୍ରଶ୍ନ ଉପରୁ ପରଦା କାଢ଼ିଥିଲେ କୋହଲି । ଏହା ପରଠାରୁ ଆଉ ମିଡିଆ ସାମ୍ନାକୁ ଆସିନାହାନ୍ତି କୋହଲି । ତେବେ କାହିଁକି ବିରାଟ ମିଡିଆ ସାମ୍ନାକୁ ଆସୁନାହାନ୍ତି ତାହା ଜାଣିବା ପାଇଁ ସମସ୍ତ ଫ୍ୟାନଙ୍କ ସହ ସାମ୍ବାଦିକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥିଲା । ବିରାଟ କାହିଁକି ମିଡିଆ ସାମ୍ନାକୁ ଆସୁନାହାନ୍ତି ଏହାର ଉତ୍ତର ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଦେଇଛନ୍ତି । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସାମ୍ବାଦିକଙ୍କ ସହ ଆଲୋଚନା କରିବା ସମୟରେ ଦ୍ରାବିଡ କହିଥିଲେ କି ପ୍ରେସ କନଫରମେନ୍ସରେ କିଏ ଯିବ ତାହା ଆମେ ସ୍ଥିର କରିନଥାଉ । ଟିମ୍ ମ୍ୟାନେଜମେଣ୍ଟ କୋହଲିଙ୍କୁ ମିଡିଆ ସାମ୍ନାକୁ ଆସିବା ପାଇଁ ବାରଣ କରିଛି । କାରଣ ମ୍ୟାନେଜମେଣ୍ଟ ଚାହୁଁଛି କି ବିରାଟ ତାଙ୍କ ୧୦୦ ତମ ଟେଷ୍ଟ ମ୍ୟାଚ ପୂର୍ବରୁ ମିଡିଆ ସାମ୍ନାକୁ ଆସନ୍ତୁ । ଆମେ ମଧ୍ୟ ଏହା ଆଶା କରୁଛୁ କି ଆପଣ ମଧ୍ୟ ବିରାଟଙ୍କ ୧୦୦ ତମ ଟେଷ୍ଟକୁ ସେଲିବ୍ରେଟ କରିବେ ଏବଂ ୧୦୦ତମ ଟେଷ୍ଟକୁ ନେଇ ତାଙ୍କୁ ପ୍ରଶ୍ନ ପଚାରିବେ ବୋଲି ଆଜି ପ୍ରେସ କନଫରମେନ୍ସରେ କହିଛନ୍ତି ରାହୁଲ ଦ୍ରାବିଡ ।
ସୂଚନା ଅନୁସାରେ ବିରାଟ କୋହଲି ଏପର୍ଯ୍ୟନ୍ତ ୯୮ ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦ୍ୱିତୀୟ ମ୍ୟାଚ ହେଉଛି ବିରାଟଙ୍କ ପାଇଁ ୯୯ତମ ମ୍ୟାଚ । ଏହା ପରେ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ବିରାଟ କୋହଲିଙ୍କ ପାଇଁ ୧୦୦ତମ ଟେଷ୍ଟ ମ୍ୟାଚ ଅଟେ । ତେଣୁ ଆଶା କରାଯାଉଛି କି ବିରାଟ ତୃତୀୟ ଟେଷ୍ଟର ପୂର୍ବରୁ କିମ୍ବା ପରେ ମିଡିଆ ସାମ୍ନାକୁ ଆସିପାରନ୍ତି ।