ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଷ୍ଟ୍ରୀୟ ମର୍ଯ୍ୟାଦାରେ କରାଯିବ ଭାସ୍କର୍ଯ୍ୟ ଶିଳ୍ପୀ ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ । ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଏହି ଘୋଷଣା କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା ପରମ୍ପରାକୁ ବିଶ୍ବବ୍ୟାପୀ କରିଥିଲେ ।

ଓଡ଼ିଶାର କଳା ଓ ଐତିହ୍ୟ କୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ । ସାରା ଦେଶରେ ବହୁସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା   । ପୁରୀ ଶ୍ରୀ ମନ୍ଦିର ମରାମତି ରେ ସେ ମଧ୍ୟ ସହଯୋଗ କରିଥିଲେ । ଗଞ୍ଜାମ ତାରାତାରିଣୀ ମନ୍ଦିର ପୁନନିର୍ମାଣରେ ସେ ତାଙ୍କର ଅତୁଳନୀୟ କାରିଗରୀ ଦକ୍ଷତା ପ୍ରଦର୍ଶନ କରିଯାଇଛନ୍ତି । ବାସ୍ତବରେ ସେ ଥିଲେ କଳାଜଗତର ଏକ ବିସ୍ମୟ କର ପ୍ରତିଭା ।

ତାଙ୍କ ବିୟୋଗରେ ଭାରତର କଳା ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି। ସ୍ବର୍ଗତ ରଘନାଥ ମହାପାତ୍ର ଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Leave a Reply