ରଘୁବର ଦାସଙ୍କୁ ନେଇ ବଡ଼ ଚର୍ଚ୍ଚା: ଓଡିଶାରେ ବିଜେପିର ଏଜେଣ୍ଟ ଭଳି କାମ କରିଥିଲେ ପୂର୍ବତନ ରାଜ୍ୟପାଳ ବୋଲି କହିଲା ବିଜେଡି

ଭୁବନେଶ୍ବର: ଓଡ଼ିଶା ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କୁ ନେଇ ଥମୁନି ଚର୍ଚ୍ଚା। ଦାୟିତ୍ବ ନେବାର ୧୩ ମାସରେ ଇସ୍ତଫା ଦେଇ ପୁଣି ରାଜନୀତିକୁ ଫେରିବା ପରେ ରାଜ୍ୟରେ ଆରମ୍ଭ ହୋଇଛି ବୟାନବାଜି । ରାଜ୍ୟପାଳ ଥିବାବେଳେ ରଘୁବର କିପରି ସାମ୍ବିଧାନିକ ପଦ ମର୍ଯ୍ୟାଦାକୁ ଭୁଲି ରାଜଭବନକୁ ରାଜନୀତିର ଆଡ୍ଡା ସ୍ଥଳୀ କରିଥିଲେ, ତାହାକୁ ନେଇ ବର୍ଷିଛନ୍ତି ବିରୋଧୀ ବିଜେଡି ଓ କଗ୍ରେସ।

ସତ ହେଲା ଆକଳନ। ରାଜନୀତିକୁ ଫେରିଲେ ରଘୁବର। ରାଜନୀତି ପାଇଁ ଭୁଲିଥିଲେ ପଦ ମର୍ଯ୍ୟାଦା। ରାଜନୀତିରୁ ଉର୍ଦ୍ଧ୍ବରେ ରାଜ୍ୟପାଳଙ୍କ ପଦବୀ। ହେଲେ ପୂର୍ବତନ ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ୧୩ ମାସ କାର୍ଯ୍ୟକାଳରେ ପଦର ଅବମାନନା କରିଥିବା ଅଭିଯୋଗ ହୋଇଆସୁଥିଲା । ଦାୟିତ୍ବ ନେବା ପରେ ରଘୁବର ଆରମ୍ଭ କରିଥିଲେ ରାଜନୈତିକ ଅଭିଯାନ । ବିଭିନ୍ନ ଅଚଳ ଗସ୍ତ କରି ରାଜନୈତିକ ବୟାନବାଜି ଦେଉଥିଲେ। ଏପରିକି ରାଜନୈତିକ ଉଦ୍ଦେଶ୍ୟ ହାସଲ ଲାଗି ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ହସ୍ତକ୍ଷେପ କରୁଥିଲେ । ନିର୍ବାଚନ ବେଳେ ଜଣେ ରାଜନୈତିକ କର୍ମୀ ଭଳି ଆଚରଣ କରିଥିଲେ। ରାଭଭବନ ରାଜନୈତିକ ଆଡ୍ଡାରେ ପରିଣତ ହୋଇଥିବା ନେଇ ବିଭନ୍ନ ମହଲରୁ ଉଠିଥିଲା ଅଭିଯୋଗ । ନିଦ୍ଦିଷ୍ଟ ଜାତୀୟ ରାଜନୈତିକ ଦଳ ଫାଇଦା ନେବାକୁ ସେ କାର୍ଯ୍ୟ କରୁଥିଲେ ବୋଲି ବିଜେଡି, କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଥିଲେ। ୧୩ ମାସ ପରେ ପଦରୁ ଇସ୍ତଫା ଓ ଶୁକ୍ରବାର ରାଜନୀତିକୁ ଫେରିବା ପରେ ତାଙ୍କ ବିରୋଧରେ ଅଭିଯୋଗ ସତ ହେଲା ବୋଲି କହିଛନ୍ତି ବିରୋଧୀ। ବିଜେପିରେ ମିଶିବା ପରେ ପୂର୍ବତନ ରାଜ୍ୟପାଳ ଯେଉଁ ବୟାନ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି । ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଏକ ଦଳର ଏଜେଣ୍ଟ ଭଳି କାମ କରିଛନ୍ତି। ରାଜ୍ୟପାଳ ଭଳି ସାମ୍ବିଧାନିକ ପଦବୀ ପାଇଁ ଏହା ନିନ୍ଦନୀୟ। ଓଡିଶାରେ ବିଜେପି ଏଜେଣ୍ଟ ଭଳି କାମ କରିଥିଲେ ପୂର୍ବତନ ରାଜ୍ୟପାଳ ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା ।

ରଘୁବରଙ୍କ ପଦ ମର୍ଯ୍ୟାଦା ସଂପୂର୍ଣ୍ଣ କ୍ଷୁର୍ଣ୍ଣ ହେଲା, ଯେଉଁ ଦିନ ରାଜ୍ୟପାଳଙ୍କ ପୁଅ ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରି ଲହୁଲୁହାଣ କଲେ। ରାଜ୍ୟପାଳଙ୍କ ପୁଅ ବିରୋଧରେ ଥାନାରେ ମାମଲା ପରେ ବି କାର୍ଯ୍ୟାନୁଷ୍ଠାନ ହେଲାନି। ଓଡ଼ିଆ ଅସ୍ମିତାର ନାରା ଦେଉଥିବା ଶାସକ ଦଳ ଏଥିପାଇଁ ବଦନାମ ହେଲା। ବିରୋଧୀ କଡ଼ା ସମାଲୋଚନା କରିଥିଲେ। ଝାଡ଼ଖଣ୍ଡ ନିର୍ବାଚନରେ ରଘୁବର ଓଡିଶାର ରାଜଭବନକୁ ୱାର ରୁମ୍ କରିଥବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। ରଘୁବର ଦାସ ରାଜ୍ୟପାଳ ଥିବାବେଳେ ବିଜେପି ସଂଗଠନକୁ ମଜଭୁତ କରିବାକୁ ୩୦ ଜିଲ୍ଲା ବୁଲୁଥିଲେ ବୋଲି ସେ କହିଛନ୍ତି। ସେପଟେ ବିଜେପି ପାଇଁ କାମ କରୁଥିଲେ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ। ଯାହାର ଜବାବ ରଖିଛନ୍ତି ବିଜେପି ବିଧାୟକ। ରାଜନୈତିର ସମୀକ୍ଷକ ମଧ୍ୟ ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ଦଳ ପାଇଁ କାମ କରୁଥିବା ଅଭିଯୋଗ ହେଉଛି ବୋଲି ମତ ରଖିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି କାମ କରୁଥିବାରୁ ପୂର୍ବତନ ରାଜ୍ୟପାଳ ରଘୁବର ଦାସ ବିବାଦରେ ସବୁବେଳେ ରହୁଥିଲେ, ଯାହାକୁ ନେଇ ଉଷ୍ମ ହୋଇଛି ରାଜ୍ୟ ରାଜନୀତି ।