ବିଦା ହେବା ପରେ ବି ପିଛା ଛାଡୁନି ବିବାଦ: କାହା ସ୍ବାର୍ଥରେ ବୁଲୁଥିଲେ ଓଡ଼ିଶା? ଲାଟ୍ ସାହେବଙ୍କୁ କାଠଗଡାରେ ଠିଆ କଲା ବିଜେଡି

1 min read

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ରାଜନୈତିକ ଉଦ୍ଦେଶ୍ୟର ଖୁଲାସା ହେବା ପରେ ବଢ଼ିଲା ବିବାଦ। କିପରି ସେ ବିଜେପିକୁ ଓଡ଼ିଶାରେ କ୍ଷମତାକୁ ଆଣିବା ପାଇଁ ରାଜନୈତିକ ଏଜେଣ୍ଟ ଭାବେ କାମ କଲେ, ତା ବିରୋଧରେ ବର୍ଷିଛି ବିଜେଡି । ରଘୁବରଙ୍କ ପୁଅ ଓଡ଼ିଆ ଏଏସଓଙ୍କୁ ମାଡ଼ ମାରି ବି ଗିରଫ ହୋଇନଥିବା ବିଜେଡି ଅଭିଯୋଗ କରିଛି । ସେହିପରି ପଦରେ ଥିବାବେଳେ ରଘୁବରଙ୍କ କାର୍ଯ୍ୟକଳାପ ଗଣତନ୍ତ୍ରକୁ ବିପଦରେ ପକାଇଥିବା ନେଇ ଅନ୍ୟ ରାଜନୈତିକ ଦଳ କହିଛନ୍ତି। ସେପଟେ ବିଜେପିର ଯୁକ୍ତି- ରଘୁବର ବିଜେପିରେ ଥିଲେ ଓ ବିଜେପିକୁ ଫେରିଲେ ।

ରାଜ୍ୟପାଳ ପଦରୁ ବିଦାୟ ପରେ ପୁଣି ବିବାଦରେ ରଘୁବର ଦାସ। ଓଡ଼ିଶାର ରାଜ୍ୟପାଳ ଥିବା ସମୟରେ ରଘୁବରଙ୍କ କାର୍ଯ୍ୟକଳାପ ବିଜେପିର ରାଜନୈତିକ ଏଜେଣ୍ଟ ଭାବେ ଥିଲା ବୋଲି ବାରମ୍ବାର ଉଠିଥିଲା ଅଭିଯୋଗ। ଝାଡ଼ଖଣ୍ଡରେ ପଦ୍ମ ଧରିବା ପରେ ବିବାଦ ହୋଇଛି ଅଧିକ ଘନୀଭୂତ। ରଘୁବରଙ୍କୁ ତଣ୍ଟିଆ ମାରିଲେ କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି । ୩୦ ଜିଲ୍ଲା ବୁଲି କଣ ଅଭିଯୋଗ ଶୁଣୁଥିଲେ ନା ବିଜେପି ପାଇଁ କାମ କରୁଥିଲେ ବୋଲି ଉଠୁଥିବା ପ୍ରଶ୍ନର ଉତ୍ତର ମିଳି ନଥିବା- କଟାକ୍ଷ କରିଛି ବିଜେଡି। ଯେଉଁ ଅଭିଯୋଗ ସବୁ ରଘୁବର ଶୁଣୁଥିଲେ, ତାହାର ତାଲିକା ମାଗିଛି ବିଜେଡି । ସେ ଓଡ଼ିଶା ରାଜ୍ୟପାଳ ଥିବା ସମୟରେ ତାଙ୍କ ପୁଅ ଓଡ଼ିଆ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଲେ । ହେଲେ କାର୍ଯ୍ୟାନୁଷ୍ଠାନ ହେଲାନି । ରଘୁବର ଲାଟ ସାହେବ ନୁହନ୍ତି ତ ଆଉ କଣ ବୋଲି ପ୍ରଶ୍ନ କରି ତାଙ୍କୁ ବିଜେଡି କାଠଗଡ଼ାରେ ଠିଆ କରିଛି । ବର୍ତ୍ତମାନ ରଘୁବରଙ୍କ ପୁଅଙ୍କୁ ତଦନ୍ତ ପରିସରକୁ ଆଣି ପୁଲିସ ପଚରା ଉଚରା କରୁ ବୋଲି ବିଜେଡି ଦାବି କରିଛି । ରଘୁବର କିପରି ନିରପେକ୍ଷ ବୋଲି ସିପିଆଇ ପ୍ରଶ୍ନ କରିଛି ।

କଂଗ୍ରେସ କଟାକ୍ଷ କରିଛି- ରଘୁବର ଦାସ ତ ବିଜେପିରେ ଥିଲେ, ବିଜେପିକୁ ଗଲେ। ବୋହୂଙ୍କୁ ବିଜେପିରୁ ଠିଆ କରାଇ ତାଙ୍କ ଲାଗି ପ୍ରଚାର କରି ସେ ଦଳ ପାଇଁ କାମ କରୁଥିବା ପ୍ରମାଣିତ କରିଥିଲେ। ରାଜ୍ୟପାଳ ଯେ କେନ୍ଦ୍ର ସରକାର ପାଇଁ ଏଜେଣ୍ଟ ଭାବେ କାମ କରୁଛନ୍ତି, ତାହା ରଘୁବର ପ୍ରମାଣିତ କରିଥିବା କଂଗ୍ରେସ କହିଛି। ସେପଟେ ବିଜେପି ବାଢ଼ିଛି ଅଜବ ଯୁକ୍ତି। ବ୍ୟକ୍ତି ଉପରେ ନିର୍ଭର କରେ ସେ ନିଜକୁ ଲାଟସାହେବ କି ସେବକ ଭାବୁଛି । ବିଜେପି ନେତା ବିଜେପିକୁ ଫେରିବାରେ ଅସୁବିଧା କଣ କହି ଅନେକ ସାମ୍ବିଧାନିକ ପ୍ରଶ୍ନ ଠିଆ କରିଛି ବିଜେପି । ସରକାରୀ ଦଳର ଏପରି ଉତ୍ତର ରାଜନୈତିକ ମହଲରେ ଗ୍ରହଣୀୟ ହୋଇନି । କେନ୍ଦ୍ରୀୟ ଯୋଜନା ସଂପର୍କରେ ପ୍ରଚାର କରିବା ପରି ବିଭିନ୍ନ କାର୍ଯ୍ୟକ୍ରମରେ ରଘୁବର ରାଜ୍ୟପାଳ ଥିବା ସମୟରେ ଲିପ୍ତ ଥିଲେ । ନିର୍ବାଚନ ପରେ ବିଜେପି ପାଇଁ କଣ୍ଟା ସାଜିଥିଲେ ରଘୁବର । ବହୁଚର୍ଚ୍ଚିତ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ରଘୁବର କେଁ ପୂରାଇଥିବା ସୂଚନା ମିଳିଛି । ଏଥିରେ କୁଳାଧିପତିଙ୍କ କ୍ଷମତା ସଂକୁଚିତ ହେଉଥିବାରୁ ଖୁସି ନଥିଲେ ରଘୁବର । ଯେଉଁଥି ପାଇଁ ବିଧାନସଭାରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ଉପସ୍ଥପାନ ହେବା ସତ୍ତ୍ବେ ଆଲୋଚନା ହୋଇ ପାରି ନଥିଲା ।