ହଷ୍ଟେଲରେ ରାଗିଂ ପାଇଁ ଜୀବନ ହାରିଲେ ସରକାରୀ ପଲିଟେକନିକ ଛାତ୍ରୀ !

ଯାଜପୁର: ପୁଣି ହଷ୍ଟେଲରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ । ବେକରେ ଓଢ଼ଣୀ ଲଗାଇ ଝୁଲିପଡ଼ିଲେ ଛାତ୍ରୀ । ଯାଜପୁର ଜିଲ୍ଲା କୋରାଇ ରଗଡ଼ି ସରକାରୀ ପଲିଟେକନିକ କଲେଜର ତୃତୀୟ ବର୍ଷ ଇଲେକ୍ଟ୍ରିକାଲ ଛାତ୍ରୀଙ୍କ ଆତ୍ମହତ୍ୟା। ମୃତ ଛାତ୍ରୀ ଜଣକ ଜେନାପୁର ଥାନା ଷେଣ୍ଢପୁର ଗାଁର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ପାତ୍ର । ଜଣେ ମେଧାବୀ ଛାତ୍ରୀ ଥିଲେ ରୋଜାଲିନ୍ । ୪ଟି କ୍ୟାମ୍ପସରେ ସିଲେକ୍ଟ ବି ହୋଇଥିଲେ । ତେବେ କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସେପଟେ ଝିଅକୁ ସାଙ୍ଗସାଥି ସବୁବେଳେ ରାଗିଂ କରୁଥିବା ନେଇ ଫୋନରେ ଘରକୁ ଜଣାଇଥିବା ରୋଜାଲିନଙ୍କ ପରିବାର ଲୋକେ କହିଛନ୍ତି । ତେବେ ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ କୋରେଇ ଥାନା ଅଧିକାରୀ ଓ ଯାଜପୁର ରୋଡ ଏସଡିପିଓ ପହଞ୍ଚି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।