ଗୁଜୁରାଟ ବ୍ୟାଟେଲ: ବିଜେପି ଟିକେଟ ନେଇ ନିର୍ବାଚନ ମଇଦାନରେ କ୍ରିକେଟରଙ୍କ ପତ୍ନୀ

1 min read

ଗାନ୍ଧୀନଗର: ଗୁଜୁରାଟ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ୧୮୨ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ବିଜେପି ୧୬୦ଜଣଙ୍କ ନାଁ ଘୋଷଣା କରିଛି । ଘାଟଲୋଡିଆରୁ ନିର୍ବାଚନ ଲଢ଼ିବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ । ଗୃହମନ୍ତ୍ରୀ ହର୍ଷ ସାଂଘଭୀଙ୍କୁ ମଜୁରା ସିଟରୁ ପ୍ରାର୍ଥୀ କରିଛି ବିଜେପି । ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କୁ ବିରାମଗମ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେହିପରି ଜାମନଗର ନର୍ଥ ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ।

ମୋରବିରୁ ସିଟିଂ ବିଧାୟକଙ୍କ ଟିକେଟ୍‌ କାଟି ପୂର୍ବତନ ବିଧାୟକ କାନ୍ତିଲାଲ ଶିବଲାଲ ଅମୃତିଆଙ୍କୁ ଟିକେଟ ଦେଇଛି ବିଜେପି । ଚଳିତଥର ୬୯ସିଟିଂ ବିଧାୟକଙ୍କୁ ବିଜେପି ଟିକେଟ ଦେଇଛି । ୨୦୧୭ରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିବା ୭ଜଣଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଦିଲ୍ଲୀରେ ବିଜେପି ନିର୍ବାଚନ କମିଟି ପକ୍ଷରୁ ହୋଇଥିବା ବୈଠକରେ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା ।

ବିଜେପି ପ୍ରାର୍ଥୀ ତାଲିକା ଘୋଷଣାର ଦିନକ ପୂର୍ବରୁ ନିର୍ବଚନ ନଲଢ଼ିବା ନେଇ ଘୋଷଣା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ରୂପାଣୀ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ । ଗତ ୨୭ ବର୍ଷ ଧରି ଗୁଜୁରାଟରେ ବିଜେପି ସରକାର ରହିଛି । ହେଲେ ଏଥର ଗୁଜୁରାଟରେ ବିଜେପି-କଂଗ୍ରସ ଓ ଆପ୍‌ ମଧ୍ୟରେ ଲଢ଼େଇ ହେବ । ବିଜେପି ଗଡ଼ ବଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରିବ । ସେପଟେ ବିଜେପିକୁ ଗାଦିରୁ ହଟାଇବାକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ସହ ଘନ ଘନ ଜନସମାବେଶ ଓ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିଛି ଆମ ଆଦମୀ ପାର୍ଟି । ସେପଟେ ଗ୍ରାମାଞ୍ଚଳ ଉପରେ ଫୋକସ କରୁଛି କଂଗ୍ରେସ ।