ରେରା ଆଇନକୁ ଦୁର୍ବଳ କରିବାକୁ ଯୋଜନା, ସଦସ୍ୟ ଚୟନରେ ଅନିୟମିତତା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ରେରା ଆଇନକୁ ଦୁର୍ବଳ କରିବାକୁ ଯୋଜନା । ରେରା ସଦସ୍ୟ ଚୟନରେ ଅନିୟମିତତା ଅଭିଯୋଗ । ଜଣେ ସଚିବ ପାହ୍ୟାର ଅଧିକାରୀ ରେରା ସଦସ୍ୟ ହୋଇପାରିବେ ବୋଲି ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିବା ବେଳେ ଚୟନ ହୋଇଥିବା ରାଜେନ୍ଦ୍ର ମିଶ୍ରଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ରେରାର ସଚିବ ଥିବା ରାଜେନ୍ଦ୍ର ମିଶ୍ର ସ୍ବତନ୍ତ୍ର ସଚିବ ପାହ୍ୟାର ଅଧିକାରୀ ହୋଇଥିବା ବେଳେ ତାଙ୍କ ନିଯୁକ୍ତି ବେଆଇନ ବୋଲି ଜଣାପଡ଼ିଛି । ରେରା ସଦସ୍ୟ ପାଇଁ ଆଶାୟୀ ଅନ୍ୟତମ ଆଇଏଏସ୍ ଅଧିକାରୀ ଏହି ଅଭିଯୋଗ କରିଛନ୍ତି । ଆଇନଜୀବୀମାନେ ମଧ୍ୟ ଏହାକୁ ଗ୍ରହଣ କରିପାରୁନାହାନ୍ତି ।
ରାଜ୍ୟରେ ସରକାର ବଦଳିବା ପରେ ରେରା ଆଇନକୁ ଦୁର୍ବଳ କରିବାକୁ ରୀତିମତ ଉଦ୍ୟମ ଚାଲିଛି । ହାଇକୋର୍ଟ ଓ ସୁପ୍ରମିକୋର୍ଟରେ ମାମଲା ପରେ ଦୀର୍ଘ ଦିନ ଧରି ଅଚଳ ହୋଇଥିବା ରେରା କୋର୍ଟ ସଚଳ କରିବାକୁ ସରକାର ବାଧ୍ୟ ହେଲେ । ମେ’ ୧୪ ତାରିଖରେ ଅଧ୍ୟକ୍ଷ ଓ ସଦସ୍ୟ ମନୋନୀତ କଲେ । ହେଲେ ସଦସ୍ୟ ମନୋନୀତ ହୋଇଥିବା ରାଜେନ୍ଦ୍ର ମିଶ୍ରଙ୍କ ନିଯୁକ୍ତିକୁ ନେଇ ଉଠିଛି ପ୍ରଶ୍ନ । ରେରା ଆଇନର ଧାରା ୨୨ ଅନୁସାରେ ରାଜ୍ୟ ସରକାରଙ୍କ ଅଧୀନରେ ଜଣେ ସଚିବ ଭାବେ କାମ କରିଥିବା ଅଧିକାରୀ ହିଁ ରେରାର ସଦସ୍ୟ ହୋଇପାରିବେ । ହେଲେ ରାଜେନ୍ଦ୍ର ମିଶ୍ର ଅବସର ବେଳେ ଖାଦ୍ୟ ଯୋଗାଣ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାମ କରୁଥିଲେ । ସେ କେବେ ବି ସଚିବ ପାହ୍ୟାରେ କାମ କରିନାହାନ୍ତି କି ଆଇଏଏସ୍ ମଧ୍ୟ ହୋଇନାହାନ୍ତି । ସଦସ୍ୟ ହେବା ପାଇଁ ଯୋଗ୍ୟତା ନ ଥିବା ବେଳେ କିପରି ଚୟନ କମିଟି ତାଙ୍କୁ ନିଯୁକ୍ତି କଲେ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଡ଼ିଏର ପୂର୍ବତନ ସଚିବ ।
ନଭେମ୍ବର ୨୦୨୪ରେ ସିଦ୍ଧାନ୍ତ ଦାସ ରେରା ଅଧ୍ୟକ୍ଷ ପଦ ଛାଡ଼ିବା ପରେ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ସରକାର କାହାକୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇ ନଥିଲେ । ରେରା କୋର୍ଟ ଦୀର୍ଘଦିନ ଧରି ଅଚଳ ହୋଇଥିଲା । ମାମଲା ସୁପ୍ରମିକୋର୍ଟକୁ ଗଲା । ହାଇକୋର୍ଟର ଦ୍ବାରସ୍ଥ ହେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ମାମଲା ଅଦାଲତକୁ ଯିବା ପରେ ସରକାର ତରବରିଆ ଭାବେ ନଗର ଉନ୍ନୟନ ସଚିବଙ୍କୁ ରେରା ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଲେ । ପରେ ସ୍ଥାୟୀ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତ କରିଥିଲେ ବି ସଦସ୍ୟ ଚୟନରେ ଅନିୟମିତତା ହୋଇଛି । ଯଦି ରେରା ସଦସ୍ୟଙ୍କ ନିଯୁକ୍ତି ବିନା ଯୋଗ୍ୟତାରେ ହୋଇଛି, ତା’ ହେଲେ ରେରା କୋର୍ଟର କୌଣସି ମାମଲାରେ ସଦସ୍ୟଙ୍କ ରାୟ ବି ବେଆଇନ ହେବ । ଏହାକୁ ନେଇ ଆଇନଜୀବୀ ପ୍ରଶ୍ନ ଉଠାଇଥିବା ବେଳେ ସରକାର କେଉଁ ଦୃଷ୍ଟିରୁ ଜଣେ ଅଯୋଗ୍ୟ ଅଧିକାରୀଙ୍କୁ ନିଯୁକ୍ତ ଦେଲେ, ଏ ବାବଦରେ ସରକାରଙ୍କ ସ୍ପଷ୍ଟୀକରଣ ମାଗିଛନ୍ତି ଆଇନଜୀବୀ ।
ରେରା ଆଇନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ । ଉଦ୍ଦେଶ୍ୟ ଥିଲା ଆପାର୍ଟମେଣ୍ଟ ବା ପ୍ଲଟ କ୍ରେତାଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ଓ ରିଏଲ ଇଷ୍ଟେଟ କାରବାରକୁ ସ୍ବଚ୍ଛ କରିବା । କିନ୍ତୁ ଏବେ ରେରା ଆଇନକୁ ଦୁର୍ବଳ କରିବାକୁ ଉଦ୍ୟମ ହେଉଛି ବୋଲି ଚର୍ଚ୍ଚା ହେଲାଣି ।