spot_img

Latest Posts

ସରକାରୀ ନିୟମ ମାନୁନାହାନ୍ତି ସରକାର: ଅବସରଙ୍କୁ ପୁନଃ-ନିଯୁକ୍ତି ହୋଇଛି ନୀତି, ସର୍ବୋଚ୍ଚ ଯନ୍ତ୍ରୀ ପଦରେ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ସରକାରୀ ନିୟମ ମାନୁନାହାନ୍ତି ସରକାର: ଅବସରଙ୍କୁ ପୁନଃ-ନିଯୁକ୍ତି ହୋଇଛି ନୀତି, ସର୍ବୋଚ୍ଚ ଯନ୍ତ୍ରୀ ପଦରେ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ: ସରକାରଙ୍କ କଥା ଓ କାମରେ ଅନେକ ଫରକ । ବିରୋଧୀ ଦଳରେ ଥିବା ବେଳେ ଅବସରଙ୍କୁ ନିଯୁକ୍ତିକୁ ବିରୋଧ ହେଉଥିଲା । ହେଲେ ସରକାରକୁ ଆସିବା ପରେ ଏହା ନୀତିରେ ପରିଣତ ହୋଇଗଲାଣି । ଏପରିକି ଅବସର ପରେ ନିଯୁକ୍ତିକୁ ନେଇ ସରକାର କରିଥିବା ଗାଇଡଲାଇନ ମଧ୍ୟ ପାଳନ ହେଉନାହିଁ । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପଦରେ ଅବସରଙ୍କୁ ନିଯୁକ୍ତି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସରକାରଙ୍କ ସ୍ବଚ୍ଛତା କେବଳ ଏକ ସ୍ଲୋଗାନରେ ପରିଣତ ହେଲାଣି । ଲୋକଙ୍କ ସରକାର ଖାଲି କହିଲେ ଚଳିବ ନାହିଁ, ସରକାରଙ୍କ ଏହି ନୀତି ଭୁଲ ବାର୍ତ୍ତା ଦେଉଛି ବୋଲି କହିଛନ୍ତି ସମୀକ୍ଷକ ।

ବିଧାନସଭାରେ ସରକାରଙ୍କୁ ସ୍ବଚ୍ଛତାର ପାଠ ପଢାଇଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ଭାତହାଣ୍ଡିରୁ ଗୋଟିଏ ଭଳି ଦୁର୍ନୀତି କେମିତି ସୀମା ଟପିଛି ସେକଥା ଉଠାଇଛନ୍ତି ଗଣେଶ୍ବର । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ପୁନଃ-ନିଯୁକ୍ତିକୁ ନେଇ ସରକାରଙ୍କୁ ଘେରିଛି ବିଜେଡି । ଜୁନ୍ ୩୦ ତାରିଖରେ ସର୍ବୋଚ୍ଚ ଯନ୍ତ୍ରୀ ପଦରୁ ଅବସର ନେଲେ ଚନ୍ଦ୍ରଶେଖର ପାଢ଼ୀ । ଏକ ନିୟମିତ ପଦବୀରେ ପୁନଃ ନିଯୁକ୍ତି ପାଇଁ କଟକଣା ଥିବା ସତ୍ତ୍ବେ ଅବସରର ଦୁଇ ଦିନ ପରେ ପାଢ଼ୀଙ୍କୁ ମିଳିଗଲା ଓଏସଡି ସହିତ ଇଆଇସି ପଦବୀ । ଏ କ୍ଷେତ୍ରରେ ସରକାର ଗତ ସେପ୍ଟେମ୍ବରରେ କରିଥିବା ଗାଇଡଲାଇନ ମଧ୍ୟ ଉଲ୍ଲଙ୍ଘନ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଗଣେଶ୍ବର ।

ବିରୋଧୀ ଦଳରେ ଥିବା ବେଳେ ଅବସର ପରେ ପୁନଃ-ନିଯୁକ୍ତିକୁ ଜୋରଦାର ବିରୋଧ କରୁଥିଲା ବିଜେପି । ଏବେ ସରକାରକୁ ଆସିବା ପରେ ଏହା ନୀତିରେ ପରିଣତ ହୋଇଗଲାଣି । ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତ ପାଇଁ ସରକାର ଗତ ସେପ୍ଟେମ୍ବର ମାସରେ ବିସ୍ତୃତ ଗାଇଡଲାଇନ କରିଥିଲେ । ଯେଉଁଥିରେ ଅବସରଙ୍କୁ ଥଇଥାନର ଆବଶ୍ୟକତା, ଯୋଗ୍ୟତା ଓ ମାନଦଣ୍ଡ ବାବଦରେ କୁହାଯିବା ସହ ସ୍ବଚ୍ଛ ଟ୍ରାକ ରେକର୍ଡ ଉପରେ ଗୁରୁତ୍ବ ଦିଆଯାଇଥିଲା । ହେଲେ ଚନ୍ଦ୍ରଶେଖର ପାଢ଼ୀଙ୍କ ନିଯୁକ୍ତିରେ ପାଳନ ହୋଇନାହିଁ ଗାଇଡଲାଇନ୍ । ଏହା ଏକ ଖରାପ ପରମ୍ପରା ସୃଷ୍ଟି କରିବା ସହ ସରକାରଙ୍କ କଥା ଓ କାମରେ ଥିବା ଫରକକୁ ଦର୍ଶାଉଛି ।

ସରକାରଙ୍କ ନିୟମ ଗୋଟେ ପଟେ ଥିବା ବେଳେ, କାର୍ଯ୍ୟଧାରା କିନ୍ତୁ ଏହା ବିରୋଧରେ । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ପଦରେ ଅବସରଙ୍କୁ ନିଯୁକ୍ତି ପ୍ରସଙ୍ଗରେ ସରକାର ଏବେ ବିବାଦରେ ଛନ୍ଦି ହୋଇଛନ୍ତି ।

Latest Posts

Don't Miss