ପଳାତକ କମ୍ପାନୀ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ପ୍ରୀତି: ଓଡ଼ିଶାର ଶ୍ରମିକଙ୍କୁ ଲୁଟିଥିବା କମ୍ପାନୀ ପାଇଁ ପ୍ରସ୍ତୁତ ହେଉଛି ରେଡ କାର୍ପେଟ

ଭୁବନେଶ୍ବର: ପଳାତକ କମ୍ପାନୀଙ୍କୁ ମୁଖ୍ଯମନ୍ତ୍ରୀଙ୍କ ପ୍ରୀତି । ଦିନେ ଓଡ଼ିଶାରେ କାରଖାନା କରି ଶ୍ରମିକଙ୍କ ପାଉଣା ନଦେଇ ଆଇନଗତରେ ମାମଲା ଛନ୍ଦି ହୋଇଥିବା କମ୍ପାନୀକୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସିଙ୍ଗାପୁରରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକୁ ନେଇ ଶ୍ରମିକ ସଂଗଠନଗୁଡିକ ଘୋର ଆପତ୍ତି ଉଠାଇଛନ୍ତି । ସେପଟେ ଏହି ପ୍ରସଙ୍ଗରେ ବିଜେଡି ଓ ରାଜନେତାମାନେ ସରକାରଙ୍କୁ ଘେରିବା ସହ ଏଭଳି ଠକ କମ୍ପାନୀ ପ୍ରୀତିକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।

ମୋହନ ସରକାରଙ୍କ ପଳାତକ ଶିଳ୍ପପତିଙ୍କୁ ଆମନ୍ତ୍ରଣ । ତାଙ୍କ ପାଇଁ ପ୍ରସ୍ତୁତ ହେଉଛି ରେଡ କାର୍ପେଟ । ପଳାତକ ମାଲିକଙ୍କୁ ପୁଞ୍ଜି ନିବେଶ ପାଇଁ ରାଜ୍ୟ ସରକାରଙ୍କ ଆଗ୍ରହ । ସିଙ୍ଗାପୁରରେ ପଳାତକ ରବିନ ଝୁନଝୁନୱାଲାଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ପରେ ରାଜ୍ୟ ରାଜନୀତି ହୋଇଛି ଉଷ୍ଣ ।

ଗତ ରବିବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଙ୍ଗାପୁର ଗସ୍ତ ସମୟରେ ଓରିଣ୍ଡ ସିଙ୍ଗାପୁରର ଅଧ୍ୟକ୍ଷ ରବିନ ଝୁନଝୁନୱାଲାଙ୍କୁ ଭେଟିଛନ୍ତି । ଅଭିଯୋଗ ହେଉଛି, ଇଏ ହେଉଛନ୍ତି ସେଇ ରବିନ ଝୁନଝୁନୱାଲା ଯିଏ ଓଡିଶାରୁ ରାତାରାତି ଶ୍ରମିକଙ୍କ ପାଉଣା ନଦେଇ ଫେରାର ହୋଇଯାଇଥିଲେ । ବାରମ୍ବାର ଶ୍ରମିକ ଆନ୍ଦୋଳନ ପରେ ସେତେବେଳେ ରାଜ୍ୟ ସରକାର ଝୁନଝୁନୱାଲାଙ୍କୁ ପଳାତକ ଘୋଷଣା କରିଥିଲେ । ତାଙ୍କ ବିରୋଧରେ ଲାଠିକଟା ଥାନାଠୁ ଆରମ୍ଭ କରି ଶ୍ରମ କୋର୍ଟ ଓ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲରେ ମାମଲା ଚାଲିଛି । ଏବେ ଝୁନଝୁନୱାଲା ସିଙ୍ଗାପୁରରେ ଆରମ୍ଭ କରିଛନ୍ତି ଜୈବ ସାର ବ୍ୟବସାୟ । ସିଙ୍ଗାପୁରରେ ଥିବା ଓରିଣ୍ଡ ସିଙ୍ଗାପୁର ପିଟିଇ ଲିମିଟେଡ ନାଁରେ ଚାଲିଥିବା ଏହି କମ୍ପାନୀକୁ ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି ରାଜ୍ୟ ସରକାର । ପଳାତକ କମ୍ପାନୀ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ପ୍ରୀତିକୁ ସମାଲୋଚନା କରିଛନ୍ତି ସୁନ୍ଦରଗଡର ବିଭିନ୍ନ ଶ୍ରମିକ ସଂଗଠନ ।

ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ଓ ବରିଷ୍ଠ ରାଜନେତା । ଯେଉଁ କମ୍ପାନୀ ୭୦୦ରୁ ଅଧିକ ସ୍ଥାୟୀ ଓ ପ୍ରାୟ ୫୦୦ରୁ ଅଧିକ ଠିକା ଶ୍ରମିକଙ୍କୁ ସେମାନଙ୍କ ପାଉଣା ନଦେଇ ଠକିଥିଲା ସେଇ କମ୍ପାନୀ ବିରୋଧରେ ସେତେବେଳର ସରକାର କାର୍ଯ୍ୟାନୁଷ୍ଠାନ ନେଇଥିଲେ । ଏବେ ସମ୍ପୃକ୍ତ କମ୍ପାନୀ ପାଇଁ ପୁଣି ଥରେ ରାଜ୍ୟ ସରକାର ରେଡ କର୍ପେଟ ପକାଇବାକୁ ଯେଉଁଭଳି ପ୍ରସ୍ତୁତି ଚଳାଇଛନ୍ତି ତାହା ଶ୍ରମିକଙ୍କ ପ୍ରତି ବିଜେପିର ଉପହାସ ବୋଲି କହିଛନ୍ତି ବରିଷ୍ଠ ରାଜନେତା । ରାଜ୍ୟର ବିକାଶ ପାଇଁ ବିଶ୍ବ ସ୍ତରରେ ଅନେକ ବଡ ବଡ ପୁଞ୍ଜି ନିବେଶକାରୀ ଆଗ୍ରହୀ । ପୂର୍ବ ସରକାରରେ ଆସିଥିବା ବହୁରାଷ୍ଟ୍ରୀୟ କମ୍ପାନୀ ଏବେ ଓଡିଶା ଛାଡିବାକୁ ବସିଲେଣି । ସେପଟେ ଯେଉଁମାନେ ରାଜ୍ୟକୁ ଲୁଟ କରିଛନ୍ତି ସେମାନଙ୍କୁ ଏବେର ଡବଲ ଇଂଜିନ ସରକାର ପ୍ରଶୟ ଦେବା ନେଇ ଉଠିଛି ପ୍ରଶ୍ନ ।

ପ୍ରଳାତକଙ୍କୁ ପ୍ରଶୟ ଦିଆଯିବା ଘଟଣାରେ ବିଜେପିର କୌଣସି ନେତା ମୁହଁ ଖୋଲୁନାହାଁନ୍ତି । କିନ୍ତୁ ବିଶ୍ବସନିୟତା ହରାଇଥିବା କମ୍ପାନୀକୁ ପୁଣି ଥରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯିବା କେତେଦୂର ଗ୍ରହଣୀୟ ସେନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରଶ୍ନ ଉଠିଛି ।