ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ, ଟଙ୍କେ ଦୁଇ ଟଙ୍କା ବୃଦ୍ଧି ହାସ୍ୟସ୍ପଦ

ଭୁବନେଶ୍ବର: ଲୁଣଠୁ ଚିନି, ତେଲଠୁ ପରିବା ସବୁର ଦର ଆକାଶ ଛୁଆଁ । ଏମିତି ସ୍ଥିତିରେ ରାଜ୍ୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କେମିତି ଚାଲିଥିଲା ସମସ୍ତଙ୍କୁ ଜଣା । ଏହି ମହରଗ ଦୁନିଆରେ ପିଲାମାନଙ୍କୁ ପୁଷ୍ଠିକର ଖାଦ୍ୟ ଦେବା କଷ୍ଟକର ହୋଇ ପଡୁଥିବା ବେଳେ ଖର୍ଚ୍ଚ ବୃଦ୍ଧି କରିବାକୁ ସବୁ ମହଲରେ ଦାବି ହେଉଥିଲା । ଆଉ ସରକାର ଖର୍ଚ୍ଚ ବୃଦ୍ଧି ମଧ୍ୟ କରିଛନ୍ତି । ହେଲେ ଏହାକୁ ନେଖିଲେ ଲାଗୁଛି, ଖର୍ଚ୍ଚ ବୃଦ୍ଧି କରିବାକୁ ଯେମିତି ସରକାରଙ୍କ ଆନ୍ତରିକତା ନଥିଲା । ସବୁ ଖାଦ୍ୟ ସାମଗ୍ରୀର ଦର ଉଚ୍ଚା ରହିଥିବା ବେଳେ ଟଙ୍କେ କି ଦୁଇଟଙ୍କା ବଢ଼ାଇ ଦେଲେ ପିଲାମାନେ କେମିତି ପୁଷ୍ଠିକର ଖାଦ୍ୟ ପାଇବେ ତାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିଛନ୍ତି । ହେଲେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ଖର୍ଚ୍ଚ ହେବ ୭ ଟଙ୍କା ୬୪ ପଇସା । ପୂର୍ବରୁ ପ୍ରତି ପିଲା ପାଇଁ ଖର୍ଚ୍ଚ ହେଉଥିଲା ୫ ଟଙ୍କା ୯୦ ପଇସା । ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ଖର୍ଚ୍ଚ ୧୦ ଟଙ୍କା ୯୪ ପଇସା । ପୂର୍ବରୁ ପ୍ରତି ପିଲାଙ୍କ ପାଇଁ ଖର୍ଚ୍ଚ ହେଉଥିଲା ୮ ଟଙ୍କା ୮୨ ପଇସା । ଡିସେମ୍ବରରୁ ଏହି ବର୍ଦ୍ଧିତ ରାଶିରେ ମିଳିବ ମଧ୍ୟାହ୍ନଭୋଜନ ।

ଦରବୃଦ୍ଧିକୁ ନଜରରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ହେଲେ ଦରବୃଦ୍ଧି କାଳରେ ଦେଶର ଭବିଷ୍ଯତଙ୍କ ଲାଗି ଟଙ୍କେ, ଦି ଟଙ୍କା ବଢାଇବା ହାସ୍ଯାସ୍ପଦ ବୋଲି କହିଛନ୍ତି ଅଭିଭାବକ ଓ ଶିକ୍ଷକ ସଂଘ । ଏତେ କମ୍ ପଇସା ବଢାଇଲେ ପିଲାମାନେ କିପରି ସୁଷମ ଖାଦ୍ଯ ପାଇବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।