ମହିଳା କମିଶନଙ୍କ କ୍ଷମତାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା
![](https://nandighoshatv.com/wp-content/uploads/2025/02/Womens-Commission-1024x576.jpg)
ଭୁବନେଶ୍ବର: ଫାଙ୍କା ପଡ଼ିଛି ରାଜ୍ୟ ମହିଳା କମିଶନ ପଦ । ନ୍ୟାୟ ଆଶାରେ ଆସୁଥିବା ମହିଳା ହେଉଛନ୍ତି ହନ୍ତସନ୍ତ । ୩୨ ବର୍ଷ ହେଲାଣି ମହିଳା କମିଶନ କେବଳ ସୁପାରିଶ କରୁଛନ୍ତି । ନିଜେ କିଛି ଆକ୍ସନ ନନେଇ ପୋଲିସ ଆକ୍ସନ ନେବାକୁ କରୁଛନ୍ତି ସୁପାରିଶ । ପୋଲିସ ପାୱାର ବିନା କମିଶନଙ୍କର କିଛି ମାନେ ନାହିଁ । ରାଜ୍ୟ ମହିଳା କମିଶନର ୩୨ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଯୋଗ ଦେଇ ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯାହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି । ସେପଟେ କମିଶନଙ୍କର ଯାହା ବି ନିୟମ ଅଛି ତାକୁ ନେଇ ଭଲ କାମ କରି ହେବ ବୋଲି କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ।
ଖାଲି ପଡ଼ିଛି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଓ ସଦସ୍ୟ ପଦ । ପାଖାପାଖି ତିନି ମାସରୁ ଅଧିକ ସମୟ ଧରି ଖାଲି ପଡ଼ିଛି ପଦ । ନ୍ୟାୟ ଆଶାରେ ଆସୁଥିବା ମହିଳା ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ରାଜ୍ୟ ମହିଳା କମିଶନଙ୍କ ୩୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଯେଉଁଥିରେ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇ ମହିଳା କମିଶନ କ୍ଷମତାହୀନ ବୋଲି କହିଛନ୍ତି । କମିଶନଙ୍କ ଅଧିକାର ସମନ କରିବା, ଡାକିବା, ଦଣ୍ଡିତ କରିବା । କିନ୍ତୁ କମିଶନଙ୍କର ଦଣ୍ଡିତ କରିବାର କ୍ଷମତା ନାହିଁ । ମହିଳା କମିଶନଙ୍କୁ ୩୨ ବର୍ଷ ହୋଇଗଲାଣି । ହେଲେ ମହିଳା କମିଶନ କେବଳ ସୁପାରିଶ କରୁଛନ୍ତି । ନିଜେ କିଛି ଆକ୍ସନ ନନେଇ ପୋଲିସ ଆକ୍ସନ ନେବାକୁ ସୁପାରିଶ କରୁଛନ୍ତି । କମିଶନଙ୍କର ପୋଲିସ ପାୱାର ବିନା କିଛି ମାନେ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଯଦି କମିଶନଙ୍କର କ୍ଷମତା ନ ରହିବ ତା’ହେଲେ କମିଶନର କିଛି ମାନେ ରହିବ ନାହିଁ । ହେଲେ ଏବେ କମିଶନକୁ କ୍ଷମତା ଦେବାର ସମୟ ଆସିଛି । ମହିଳା କମିଶନ କ୍ଷମତାଶାଳୀ ହେବେ । ବିଭିନ୍ନ ବର୍ଗର ମହିଳାଙ୍କ ସ୍ୱାର୍ଥ ରକ୍ଷା ପାଇଁ ନିଆଯିବ ପଦକ୍ଷେପ । ଶୀଘ୍ର ଅଧ୍ୟକ୍ଷା ନିଯୁକ୍ତି କରାଯିବ ବୋଲି କହିଛନ୍ତି ପ୍ରଭାତୀ ।
ସେପଟେ କମିଶନଙ୍କ କ୍ଷମତା ପ୍ରସଙ୍ଗରେ ଭିନ୍ନ ମତ ରଖିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା । କମିଶନଙ୍କର ନିଜସ୍ୱ ଆଇନ ଅଛି । ଏହାକୁ ନେଇ କମିଶନ ଚାଲିଛି । ଅଧିକ କ୍ଷମତା ମିଳିଲେ ତାହା ଅଲଗା କଥା । କେନ୍ଦ୍ର ଓ ରାଜ୍ୟ ଏ ବିଷୟରେ ବିଚାର କରିବେ । କିନ୍ତୁ ଯାହା ବି ନିୟମ ଅଛି ତାକୁ ନେଇ ଭଲ କାମ କରିହେବ ବୋଲି କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର ।
ମହିଳା କମିଶନ ନିଜେ ଆକ୍ସନ ନେବା ଦରକାର । ଯଦି କମିଶନଙ୍କ କ୍ଷମତା ନ ରହିବ ତା’ହେଲେ କମିଶନର ମାନେ କିଛି ରହିବ ନାହିଁ । କମିଶନଙ୍କ ଉପରେ ମହିଳାଙ୍କର ଆଶା ଓ ଭରଷା କେତେ ଦୂର ରହିବ, ତାକୁ ନେଇ ଉଠିଛି ପ୍ରଶ୍ନ ।