ରାଜ୍ୟ ସରକାର ଦେଖାଉଛନ୍ତି ଦିବା ସ୍ବପ୍ନ: ୫ ଶହ ବିଲିୟନ ଡଲାର ଲକ୍ଷ୍ୟ କେଉଁ ଆଧାରରେ ହେବ ପୂରଣ ?

1 min read

ଭୁବନେଶ୍ବର: ଅର୍ଥ ଖର୍ଚ୍ଚ ହୋଇପାରୁନି । ରାଜ୍ୟର ଆୟ କମି କମି ଯାଉଛି । ସେପଟେ ରାଜ୍ୟ ସରକାର କହୁଛନ୍ତି ୨୦୩୬ ବେଳକୁ ରାଜ୍ୟ ଅର୍ଥନୀତି ୫୦୦ ବିଲିୟନ୍ ଡଲାରରେ ପହଞ୍ଚିବ । ସମୀକ୍ଷକଙ୍କ ପ୍ରଶ୍ନ ଯଦି ନାମକୁ ମାତ୍ର ଅଭିବୃଦ୍ଧି ପରିମାଣ ଏବେଠୁ ବାର୍ଷିକ ୧୨.୪୦ ପ୍ରତିଶତ ରହେ । ତା’ହେଲେ ସେତେବେଳକୁ ରାଜ୍ୟ ଅର୍ଥନୀତି ମାତ୍ର ୩୮୫ ବିଲିୟନ୍ ଡଲାର ଛୁଇଁବ । କେଉଁ ଆଧାରରେ କେଉଁ ଆର୍ଥିକ ପରାମର୍ଶରେ ରାଜ୍ୟ ସରକାର ଅଭିବୃଦ୍ଧିର ଏପରି ଗଣିତ କଷିଛନ୍ତି ତାହା କେବଳ ହାସ୍ୟାସ୍ପଦ ବୋଲି ଅର୍ଥନୀତି ବିଶେଷଜ୍ଞ ଅଭିଯୋଗ କରିଛନ୍ତି ।

ଲକ୍ଷ୍ୟ ଛୋଟ ସ୍ବପ୍ନ ବଡ଼ । ଅଭିବୃଦ୍ଧି ନେଇ ମୋହନ ସରକାର ଦେଖାଇଛନ୍ତି ଦିବା ସ୍ବପ୍ନ ! ୨୦୩୬ ବେଳକୁ ରାଜ୍ୟ ଅର୍ଥନୀତ ୫୦୦ ବିଲିୟନ ଡଲାର ବା ୪୩ ଲକ୍ଷ ୫୦ ହଜାର କୋଟି ହେବ । ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ୮ ପ୍ରତିଶତରୁ ୮.୫ ପ୍ରତିଶତ ରହିବ । କେମିତି ଓ କେଉଁ ଆଧାରରେ ଏହି ଲକ୍ଷ୍ୟ ପୂରଣ ହେବ ବୋଲି ସିଧା ପ୍ରଶ୍ନ ଉଠାଇଲେ ଅର୍ଥନୀତି ସମୀକ୍ଷକ ।

ବଜେଟ୍ ଅଧିବେଶନ ଆରମ୍ଭରେ ରାଜ୍ୟପାଳଙ୍କ ମୁହଁରେ ରାଜ୍ୟ ସରକାର ଏପରି କୁହାଇ ଅଡ଼ୁଆ ଭିତରକୁ ପଶିଛନ୍ତି । ଅଭିଯୋଗ ହୋଇଛି, ଏ ସରକାର ମହଙ୍ଗା ବଜାର ବା ମୁଦ୍ରାସ୍ଫୀତିକୁ ଗୁରୁତ୍ବ ଦେଉନାହାନ୍ତି । ଯଦି ବର୍ଷକ ଭିତରେ ମୁଦ୍ରାସ୍ଫୀତି ୪ ପ୍ରତିଶତ ରହେ ତା’ହେଲେ ନୋମିନାଲ ଗ୍ରୋଥ ୧୨.୩୨ ପ୍ରତିଶତ ରହିବ । ୫ ପ୍ରତିଶତ ମୁଦ୍ରାସ୍ଫୀତି ରହିଲେ ଅଭିବୃଦ୍ଧି ହାର ୧୨.୪୦ ପ୍ରତିଶତରେ ପହଞ୍ଚିବ । ସେହିପରି ବାସ୍ତବ ଅଭିବୃଦ୍ଧି ଯଦି ୮.୫ ପ୍ରତିଶତ ରହିଲା, ତା’ହେଲେ ୫ ପ୍ରତିଶତ ମୁଦ୍ରାସ୍ଫୀତି ମିଶିଲେ ନାମକୁ ମାତ୍ର ଅଭିବୃଦ୍ଧି ୧୨.୯୩ ପ୍ରତିଶତ ରହୁଛି । ଏପରି ହିସାବକୁ ନେଲେ ୨୦୩୬ ବେଳକୁ ରାଜ୍ୟ ଅର୍ଥନୀତି ୩୮୫ ବିଲିୟନ୍ ଡଲାରରେ ପହଞ୍ଚୁଛି । ଯେଉଁଠି କି ଛୋଟ ରାଜ୍ୟ ୨୦୨୩-୨୪ରୁ ଓଡ଼ିଶାଠାରୁ କାହିଁ କେତେ ଆଗରେ ଅଭିବୃଦ୍ଧି ଲକ୍ଷ୍ୟ ରଖିସାରିଛନ୍ତି । ତ୍ରିପୁରା ୧୪.୨୧ ପ୍ରତିଶତ ଥିବାବେଳେ, ମେଘାଳୟ ୧୩.୯୮ ପ୍ରତିଶତ ଓ ସିକିମ ୧୪.୬୭ ପ୍ରତିଶତ ଅଭିବୃଦ୍ଧି ଲକ୍ଷ୍ୟ ରଖୁଛନ୍ତି ।

ରାଜ୍ୟ ସରକାର ଆକଳନ ନେଇ କାର୍ପଣ୍ୟ କରୁଥିବା ଆଉ କିଛି ସମୀକ୍ଷକ ଅଭିଯୋଗ କରିଛନ୍ତି । ୨୦୨୪-୨୫ରେ ନାମକୁ ମାତ୍ର ଅଭିବୃଦ୍ଧି ୧୧ ପ୍ରତିଶତ କରିଥିଲେ । କିନ୍ତୁ ହେଲା ୧୦ ପ୍ରତିଶତ । ଚଳିତବର୍ଷ ରାଜ୍ୟ ଅର୍ଥନୀତି ୯ ଲକ୍ଷ ୫୦ ହଜାର କୋଟିରେ ପହଞ୍ଚିବ ବୋଲି ଲକ୍ଷ୍ୟ ରହିଥିଲା । କିନ୍ତୁ ଏହି ଲକ୍ଷ୍ୟ ହାସଲ ହୋଇପାରିନି । ତୃତୀୟ କ୍ବାର୍ଟର ସୁଦ୍ଧା ଯେଉଁଠି ବଜେଟ ଅର୍ଥର ୫୦ ପ୍ରତିଶତ ମାତ୍ର ଖର୍ଚ୍ଚ ହୋଇପାରୁଛି । ଯାହାକୁ ନେଇ ସହୁ ମହଲରେ ସରକାର ସମାଲୋଚିତ ହେଲେ । ଶେଷ ଦୁଇମାସରେ ୮୫ ପ୍ରତିଶତ ଖର୍ଚ୍ଚ କରି ଦେଖାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସବୁ ବିଭାଗକୁ ନିର୍ଦ୍ଦେଶ ଦେଉଛନ୍ତି । ଏହା ବାସ୍ତବତାଠାରୁ ବହୁ ଦୂରରେ ବୋଲି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି ।

ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ୧୦ ଲକ୍ଷ ୬୩ ହଜାର କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଦିନକୁ ଦିନ ରାଜ୍ୟର ଆୟ କମୁଥିବା ବେଳେ ବ୍ୟୟ ଭାର ବଢି ଚାଲିଛି । କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବାରେ ରାଜ୍ୟକୁ ଅର୍ଥ ଯୋଗାଡ଼ ପାଇଁ ଖୋଲା ବଜାରରୁ ଋଣ କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ବିକଶିତ ଓଡ଼ିଶା କେବଳ ରାଜ୍ୟବାସୀଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ବୋଲି ଚର୍ଚ୍ଚା ହେଉଛି ।