ଆନ୍ଧ୍ରର ପୋଲାଭରମ ପ୍ରକଳ୍ପକୁ ବିରୋଧ କଲେଣି ଅନେକ ରାଜ୍ୟ, ହେଲେ ଓଡ଼ିଶା କେବେ ମୁହଁ ଖୋଲିବ

ନନ୍ଦିଘୋଷ ବ୍ୟୁରୋ: ପୋଲଭରମ ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ରାଜ୍ୟ ନିଜ ସ୍ୱାର୍ଥ ପାଇଁ ଲଢ଼େଇକୁ ଜୋରଦାର କରୁଛନ୍ତି । ତେଲେଙ୍ଗାନା ପରେ ଏବେ କର୍ଣ୍ଣାଟକ ପୋଲଭରମକୁ ନେଇ ନିଜ ସ୍ୱର ଶାଣିତ କରିଛି । କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ନିକଟରେ ନିଜର ହକକୁ ଜାହିର କରିଛି କର୍ଣ୍ଣାଟକ । କିନ୍ତୁ ଏତେ ସବୁ ସତ୍ତ୍ୱେ ମଧ୍ୟ ଓଡିଶା ସରକାର ଗଭୀର ନିଦ୍ରାରେ ସୋଇଥିବା ଅଭିଯୋଗ ହୋଇଛି । ତୁରନ୍ତ ରାଜ୍ୟ ସରକାର ପୋଲଭରମକୁ ନେଇ ପାଟି ଖୋଲନ୍ତୁ ବୋଲି ଦାବି ହୋଇଛି ।
ପୋଲାଭରମ ପ୍ରକଳ୍ପକୁ ବିରୋଧ କଲେଣି ଅନେକ ରାଜ୍ୟ । ତେଲେଙ୍ଗାନା ପରେ କର୍ଣ୍ଣାଟକ ଆନ୍ଧ୍ରର ମନମାନି ବିରୋଧରେ ସ୍ୱରକୁ କରିଛି ଶାଣିତ । ହେଲେ ଓଡ଼ିଶା କେବେ ମୁହଁ ଖୋଲିବ ବୋଲି ଉଠିଛି ପ୍ରଶ୍ନ । ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ବିରୋଧରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟକୁ ଅବଗତ କରାଇଛି କର୍ଣ୍ଣାଟକ । ପୋଲାଭରମ ବନକଚେରଲା ଲିଙ୍କ ପ୍ରକଳ୍ପ ଦ୍ବାରା ଆନ୍ଧ୍ର ୨୪୩ ଟିଏମସି ଫୁଟ ଜଳ ପୋଲାଭରମରୁ ନେବ । ଆନ୍ଧ୍ର ଏହା କରିବାର ଏକଚାଟିଆ ଅଧିକାର ନଥିବା କେନ୍ଦ୍ର ନିକଟରେ ଦର୍ଶାଇଛି କର୍ଣ୍ଣାଟକ। ଅନ୍ତତଃ ରାଜ୍ୟ ଏଗ୍ରିମେଣ୍ଟ ଅନୁଯାୟୀ କର୍ଣ୍ଣାଟକ ୬୪.୭୫ ଟିଏମସି ଫୁଟ ଜଳ ଉପରେ ନିଜର ଅଧିକାର ଜାହିର କରିଛି । ହେଲେ ସବୁଠୁ କ୍ଷତିଗ୍ରସ୍ତ ହେବାକୁ ଥିବା ଓଡ଼ିଶା କାହିଁକି ଚୁପ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଓ ବିଜେଡି । ପୋଲାଭରମ ପ୍ରକଳ୍ପ ସାରିବାକୁ ଆନ୍ଧ୍ର ସରକାର ଦିନରାତି ଏକ କରିଦେଇଥିବା ବେଳେ ୨୦୨୭ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବେ । କିନ୍ତୁ ଓଡିଶା ବୁଡିବାକୁ ଥିବାବେଳେ କାହିଁକି ଚୁପ ସରକାର ତାର ଉତ୍ତର ରଖିବାକୁ ଦାବି ହୋଇଛି ।
ସେପଟେ କିଛି ଦିନ ପୂର୍ବେ ଜାତୀୟ ମାନବାଧିକାର କମିଶନଙ୍କ ପକ୍ଷରୁ ପୋଲାଭରମ ପ୍ରକଳ୍ପ ପ୍ରଭାବିତ ପରିବାର ପାଇଁ କଣ ପଦକ୍ଷେପ ନିଆଯାଇଛି ବୋଲି ରିପୋର୍ଟ ତଲବ କରିଛନ୍ତି । କିନ୍ତୁ ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ଅଞ୍ଚଳରେ କେତେ କ୍ଷୟକ୍ଷତି ହେବ, କେତେ ଆଦିବାସୀ ଅଞ୍ଚଳ ବୁଡିବ ତଥା କେତେ ଲୋକ ଭିଟାମାଟି ହରାଇବେ ସେ ସମ୍ପର୍କରେ ତଥ୍ୟ ନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କଡା ସମାଲୋଚନା କରାଯାଇଛି । ସେପଟେ ଶାସକ ଦଳର କହିବା କଥା ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।
ପୋଲାଭରମ ପ୍ରସଙ୍ଗରେ ଲଗାତର ବିଜେଡି ଆନ୍ଦୋଳନ କରୁଥିବା ବେଳେ ଅନ୍ୟ ବିରୋଧୀ ଦଳ ଓ ସାମାଜିକ ସଂଗଠନ ମଧ୍ୟ ବିରୋଧ କରିଆସୁଛନ୍ତି । କିନ୍ତୁ ଏହାକୁ ନେଇ ସରକାରଙ୍କ ଆଭିମୁଖ୍ୟ କ’ଣ ତାହା ଏଯାଏଁ ସ୍ପଷ୍ଟ ହୋଇପାରିଲାନି ।