ନିର୍ବାଚନ ଗଡ଼ବଡ଼ ନେଇ ସମଗ୍ର ଓଡ଼ିଶା ପଚାରୁଛି ପ୍ରଶ୍ନ

ଭୁବନେଶ୍ବର : କାହିଁକି ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟରେ ନାହିଁ ତାଳମେଳ ? କିଏ କହୁଛି ସତ ? ତଥ୍ୟରେ ତାଳମେଳ ଭୋଟ ଗଡ଼ବଡ଼ର ବଡ ସଙ୍କେତ ଦେଉଛି । ତେବେ ଭୋଟ ଅସଙ୍ଗତି ପାଇଁ ଦାୟୀ କିଏ ? ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ କ୍ଷମତାକୁ ଆଣିବାକୁ ଏଭଳି ଗୋଳମାଳିଆ କରାଯାଇଛି କି ? ରାଜ୍ୟରେ ଭୋଟ ଗଡ଼ବଡ଼ ହୋଇଥିବା ତଥ୍ୟ ପଦାକୁ ଆସିବା ପରେ ସାରା ରାଜ୍ୟରେ ଏବେ ଏହାକୁ ନେଇ ଚର୍ଚ୍ଚା । ଗାଁ ଗାଁ ଓ ହାଟବଜାରରେ ସବୁଠି ସୃଷ୍ଟି ହୋଇଛି ସନ୍ଦେହର ମାହୋଲ । ଏହି ଗଡ଼ବଡ଼ ପଛରେ କାହାର ହାତ ରହିଛି ଓ କିଏ ଏଥିପାଇଁ ଦାୟୀ ତାର ପର୍ଦ୍ଦାଫାସ ହେବା ଉଚିତ ବୋଲି ଦାବି କରୁଛନ୍ତି ସାଧାରଣ ଭୋଟର । ଏଭଳି ଗଡ଼ବଡ଼କୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ଶ୍ରମିକ ସଂଗଠନ ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି । ଏଭଳି ଭୋଟ ଗଡ଼ବଡ଼ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ କ୍ଷମତାସୀନ କରିବାକୁ କରାଯାଇଛି କି ? ଏହାର ବିଧିବଦ୍ଧ ତଦନ୍ତ ହେବା ଉଚିତ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି ।

ଓଡିଶାର ୧୮ଟି ସଂସଦୀୟ କ୍ଷେତରେ ଏଭଳି ଅସଙ୍ଗତି ହୋଇଥିବା ଜଣାପଡିଛି । କେବଳ ସେତିକି ନୁହେଁ, ଗୋଟିଏ ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ବିଧାନସଭା ଭୋଟରେ ମଧ୍ୟ ତାଳମେଳ ନାହିଁ । ତେଣୁ କେଉଁଠି ନା କେଉଁଠି ଭୋଟ ଗଡ଼ବଡ଼ ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି । ଏଭଳି ଅସଙ୍ଗତି ବିରୋଧୀଙ୍କୁ ଯୋଗାଇଛି ଖୋରାକ । ସବୁଠାରୁ ଉଦବେଗର କଥା ହେଉଛି ପ୍ରିଜାଇଡିଂ ଅଫିସରଙ୍କ ରିପୋର୍ଟ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଆରଟିଆଇରେ ତଥ୍ୟ ମାଗିଲେ ମିଳୁନାହିଁ । ତଥ୍ୟ ଲୁଚାଯାଉଥିବାରୁ ଭୋଟ ଗଡ଼ବଡ଼ ସନ୍ଦେହ ଆହୁରି ଘନୀଭୂତ ହେଉଛି । କାହା ଚାପରେ ରିପୋର୍ଟ ସାର୍ବଜନୀନ କରାଯାଉନି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।