ବଜେଟ ମ୍ୟାନେଜମେଣ୍ଟରେ ସରକାର ଫେଲ । ବଜେଟ ଅର୍ଥ ଖର୍ଚ୍ଚକୁ ନେଇ ଉଠିଲା ପ୍ରଶ୍ନ । ବିଶେଷଜ୍ଞ କହିଲେ ଅତିରିକ୍ତ ବଜେଟର ନାହିଁ ଆବଶ୍ୟକ । ଅପାରଗ ସରକାର କହି ଘେରିଲେ ବିରୋଧୀ । ଶୀତ ଅଧିବେଶନରେ ଆସିବ ଅତିରିକ୍ତ ବଜେଟ । ଅତିରିକ୍ତ ବଜେଟ ପାଇଁ ସରକାର ଜାରି ରଖିଛନ୍ତି କସରତ । ସବୁ ବିଭାଗର ଅତିରିକ୍ତ ବଜେଟ ପ୍ରସ୍ତାବକୁ ସମୀକ୍ଷା କରୁଛି ଅର୍ଥ ବିଭାଗ । ଯାହାକୁ ନେଇ ପ୍ରଶ୍ନ ଉଠାଇନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ । ତାଙ୍କ ଯୁକ୍ତି ହେଉଛି ସରକାର ବଜେଟ ପରେ ବଜେଟ ଆଣୁଛନ୍ତି । ହେଲେ ବଜେଟ ମ୍ୟାନେଜମେଣ୍ଟରେ ବିଜେପି ସରକାର ସଂପୂର୍ଣ୍ଣ ଫେଲ ମାରିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨ଲକ୍ଷ ୯୦ ହଜାର କୋଟି ଟଙ୍କା ବଜେଟକୁ ସବୁ ବିଭାଗକୁ ଆବଣ୍ଟନ କଲେ । ହେଲେ ବଜେଟ ଅର୍ଥକୁ ଖର୍ଚ୍ଚ କରିବାରେ ସକ୍ଷମ ହେଉନାହାନ୍ତି ରାଜ୍ୟ ସରକାର । ବହୁ ବିଭାଗ ବଜେଟ ଅର୍ଥର ୪୦ରୁ ୫୦ ପ୍ରତିଶତ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇପାରିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏପରି ସ୍ଥିତିରେ ଅତିରିକ୍ତ ବଜେଟର କଣ ଆବଶ୍ୟକ ରହିଛି ବୋଲି ପ୍ରଶ୍ନ କରିଛନ୍ତି ପଂଚାନନ । ତେବେ ବଜେଟ ଅର୍ଥ ଖର୍ଚ୍ଚ ହୋଇପାରୁନଥିବାରୁ ଗାଁ ଗାଁରେ ବିକାଶ କାମ ସଂପୂର୍ଣ୍ଣ ଠପ ହୋଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଗୁରୁବାର ମତ୍ସ୍ୟ ଓ ପଶୁ ସମ୍ପଦ, ପଂଚାୟତରାଜ ଓ ପାନୀୟଜଳ, ମିଶନ ଶକ୍ତି, ଗ୍ରାମ୍ୟ ଉନ୍ନୟନ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ବଜେଟ ପ୍ରସ୍ତାବକୁ ତର୍ଜମା କରିଛି ଅର୍ଥ ବିଭାଗ । ଅର୍ଥନୈତିକ ସମୀକ୍ଷକ ଦିଲ୍ଲୀପ ବିଶୋଇ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ୭ ମାସରେ ବଜେଟ ଅର୍ଥ ଖର୍ଚ୍ଚ ଅତ୍ୟନ୍ତ ନୈରାଶଜନକ ଥିଲା । ମାତ୍ର ୩୮ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଥିଲା । ବଜେଟ ଅର୍ଥ ଖର୍ଚ୍ଚରେ ମାନ୍ଦାବସ୍ଥା ଲାଗି ରହିଛି । ସରକାର କିନ୍ତୁ କହୁଛନ୍ତି ଗତବର୍ଷ ଅପେକ୍ଷା ୧୩ ପ୍ରତିଶତ ଅଧିକ ଖର୍ଚ୍ଚ କରାଯାଇଛି । ଯାହାକୁ ନେଇ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି । ନୂଆ ସରକାର ବଜେଟ ଅର୍ଥ ଖର୍ଚ୍ଚ କରିବାକୁ କୌଣସି ନିଦ୍ଦିଷ୍ଟ ପ୍ଳାନ ନକରିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ରାଜ୍ୟର ବିକାଶ ମୂଳକ କାର୍ଯ୍ୟ ଠପ ହୋଇଥିବା ଅଭିଯୋଗ ହୋଇଆସୁଛି । ୨୦୨୫-୨୬ ଆର୍ଥିକ ବର୍ଷରେ ବଜେଟ ସଠିକ ଭାବେ ଖର୍ଚ୍ଚ ହୋଇପାରୁନଥିବା ବେଳେ ଅତିରିକ୍ତ ବଜେଟ କେବଳ ଆଣିବା ପାଇଁ ସରକାର ଆଣୁଛନ୍ତି ବୋଲି ଅର୍ଥନୈତିକ ବିଶେଷଜ୍ଞ କହିଛନ୍ତି ।

