ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନ, ସୂର୍ଯ୍ୟଙ୍କୁ ଟର୍ଚ୍ଚ ଦେଖାଇବା ସହ ସମାନ: ପାଣ୍ଡିଆନ
1 min readଭୁବନେଶ୍ବର: ମୁଖ୍ଯମନ୍ତ୍ରୀ ସୂର୍ଯ୍ୟ ପରି ସ୍ବଚ୍ଛ । ତାଙ୍କ ସ୍ବଚ୍ଛତା ନେଇ ପ୍ରଶ୍ନ କରିବା ସୂର୍ଯ୍ୟଙ୍କୁ ଟର୍ଚ୍ଚ ଦେଖାଇବା ସହ ସମାନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏମିତି ଢଙ୍ଗରେ ଦେଇଛନ୍ତି କଡ଼ା ଜବାବ । ବଲାଙ୍ଗୀରର ବିଭିନ୍ନ ନିର୍ବାଚନୀ ସଭାରେ ଯୋଗଦେଇ ସେ କହିଛନ୍ତି- ନିର୍ବାଚନ ଆସିଲେ ବିଜେପିର ମାଳମାଳ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପର୍ଯ୍ୟଟକଙ୍କ ଭଳି ପ୍ରଚାରକୁ ଆସି ଲୋକଙ୍କୁ ମିଛ କହୁଛନ୍ତି । ମାତ୍ର ଭୋଟର ଏହାର ଜବାବ ଦେବେ ।
କଣ୍ଟାବାଞ୍ଜିରେ ନିର୍ବାଚନ ପ୍ରଚାର ବେଳେ ପାଣ୍ଡିଆନ କହିଛନ୍ତି- ବିଜେପିରେ ବେଲରେ ଆସିଥିବା ନେତା ଓ ଦୋଷୀ ସାବ୍ୟସ୍ତ ନେତା ପ୍ରାର୍ଥୀ ହୋଇଛନ୍ତି । ୨୦୧୪ ଓ ୨୦୧୯ରେ ବିଜେପି ଦରଦାମ କମାଇବାକୁ ପ୍ରତିଶ୍ରୁତି ଦେଇଥିଲା, ଏଯାଏଁ ପୂରଣ ହେଲାନି । ନିର୍ବାଚନ ଆସିଲେ ବିଜେପିର ମାଳମାଳ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ପର୍ଯ୍ୟଟକଙ୍କ ଭଳି ପ୍ରଚାରକୁ ଆସି ଲୋକଙ୍କୁ ମିଛ କହୁଛନ୍ତି । ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିର ବିକାଶ ପାଇଁ ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି । କଣ୍ଟାବାଞ୍ଜିକୁ ମୁଖ୍ଯମନ୍ତ୍ରୀ ଏକ ନମ୍ବର ନିର୍ବାଚନ ମଣ୍ଡଳୀରେ ପରିଣତ କରିବେ ।
ନିର୍ବାଚନ ସମୟରେ ବାହାର ରାଜ୍ଯର ନେତା, ମନ୍ତ୍ରୀ ଓଡ଼ିଶା ଆସି ବଡ଼ ବଡ଼ କଥା କହୁଛନ୍ତି । ଛତିଶଗଡ଼ରୁ ମନ୍ତ୍ରୀମାନେ ଆସି ଟଙ୍କା ବାଣ୍ଟୁଛନ୍ତି । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶାଳୀନ ବ୍ଯବହାର କରୁଛନ୍ତି । ମାତ୍ର ଏହାର ଜବାବ ରାଜ୍ଯବାସୀ ଦେବେ ବୋଲି ପାଣ୍ଡିଆନ କହିଛନ୍ତି । ଟିଟିଲାଗଡରେ ଆୟୋଜିତ ନିର୍ବାଚନ ପ୍ରଚାର ସଭାରେ ଯୋଗଦେଇ ସେ କହିଛନ୍ତି- ତୁଷୁରାରେ ଥିବା ମାଆ ସମଲେଇ ମନ୍ଦିରର ରୂପାନ୍ତରଣ ସହ ବଡ଼ ଜଳସେଚନ ପ୍ରକଳ୍ପ ହୋଇଛି । ବିଜେଡି ଛଡା ଆଉ ଯିଏ ଜିତିବ ସିଏ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ୨୦ରୁ ୩୦ ବର୍ଷ ପଛକୁ ନେଇଯିବ ।
ନିର୍ବାଚନ ସମୟରେ ବିରୋଧୀ ଦଳର ନେତା ଓ ବାହାର ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସୁଛନ୍ତି । ହେଲେ ସେମାନେ ଓଡିଶା କେଉଁଠି ଜାଣନ୍ତି ନାହିଁ କି ଓଡିଶାବାସୀଙ୍କୁ ଜାଣନ୍ତିନି । ପର୍ଯ୍ୟଟକ ଭଳି ଆସି ମିଛ କଥା କହି ପଳାଇବେ । ସେମାନଙ୍କ ପ୍ରତିଶ୍ରୁତିକୁ ବିଶ୍ବାସ କରନ୍ତୁନି ବୋଲି ପାଟଣାଗଡରେ କହିଛନ୍ତି ପାଣ୍ଡିଆନ। ହରିଶଙ୍କର ମନ୍ଦିରର ରୂପାନ୍ତରଣ ପାଇଁ ୨୮ କୋଟି, ବାଇପାସ ଲାଗି ୧୫୦ କୋଟି ଟଙ୍କା ଦିଆଯାଇଛି ବୋଲି ସେ କହିଛନ୍ତି ।
ବିଜେଡିର ଭରପୂର ନିର୍ବାଚନୀ ସଭା ଦେଖି ଛାନିଆ ହୋଇଛନ୍ତି ବିରୋଧୀ । ବିକାଶ ଧାରାକୁ କରିପାରୁନାହାନ୍ତି ଚ୍ୟାଲେଞ୍ଜ ।