ରାଜନୀତିରେ ମହିଳା ସଶକ୍ତିକରଣ: ସୁଭଦ୍ରା ଯୋଜନାର ଲକ୍ଷ୍ୟକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ବର:  ନୂଆ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିବା ପରେ ମହିଳା ସଶକ୍ତିକରଣ ନେଇ ଆରମ୍ଭ ହୋଇଛି ବିତର୍କ । ବିଜେଡି ସରକାର ସମୟରେ ମିଶନ ଶକ୍ତି ଜରିଆରେ ଏସଏଚଜିକୁ ଏସଏମଇରେ ପରିଣତ କରାଯାଇଥିଲା । ମହିଳାମାନେ ଆର୍ଥିକ ଭାବେ ସ୍ବାବଲମ୍ବୀ ହେବା ସହ ସଶକ୍ତ ହୋଇଥିଲେ । ବିଜେପି ସରକାର ଦିନକୁ ମାତ୍ର ୨୭ ଟଙ୍କା ଦେଇ କିପରି ମହିଳା ଉଦ୍ୟୋଗୀ ସୃଷ୍ଟି କରିବ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଓ କଂଗ୍ରେସ । ମହିଳାଙ୍କୁ ସଶକ୍ତ କରିବାକୁ ବିଜେପି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାକୁ ଦାବି କରିଛନ୍ତି ବିରୋଧୀ ।

ରାଜନୀତିରେ ମହିଳା ସଶକ୍ତିକରଣ । ସୁଭଦ୍ରା ଯୋଜନାର ଲକ୍ଷ୍ୟକୁ ନେଇ ଉଠିଲା ପ୍ରଶ୍ନ । ବିଜେଡି କହିଲା ଏସଏଚଜିକୁ ଏସଏମଇରେ ପରିଣତ କରିଥିଲୁ । ୨୭ ଟଙ୍କାରେ କେମିତି ସୃଷ୍ଟି ହେବେ ମହିଳା ଉଦ୍ୟୋଗୀ ? କଂଗ୍ରେସର ଦାବି ସୁଭଦ୍ରା ପାଇଁ ଜାରି କର ଶ୍ବେତପତ୍ର ।

ମହିଳା ଆଗକୁ ବଢିଲେ, ସମାଜ ଆଗକୁ ବଢିବ । ବିଜେଡି ସବୁବେଳେ ମହିଳା ସଶକ୍ତିକରଣକୁ ଫୋକସ କରି କାମ କରିଥିଲା । ୨୦୦୧ ମସିହାରୁ ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ସ୍ବାବଲମ୍ବୀ କରିପାରିଥିଲା । ଲକ୍ଷ୍ୟ ଥିଲା ମହିଳା ସଶକ୍ତ ହେବ ଓ ଦକ୍ଷ ହେବେ । କେବଳ ସାମାଜିକ ଓ ଆର୍ଥିକ ସ୍ତରରେ ସଶକ୍ତ ନୁହେଁ, ରାଜନୈତିକ ସ୍ତରରେ ମହିଳା ନେତୃତ୍ବକୁ ଫୋକସ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ  ପଟ୍ଟନାୟକ  । ପୌର ଓ ପଞ୍ଚାୟତରେ ୫୦ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସହ ଲୋକସଭା ଓ ବିଧାନସଭା ୩୩ ପ୍ରତିଶତ ମହିଳା ସଂରକ୍ଷଣ ପାଇଁ ସଂଗ୍ରାମ ଜାରି ରଖିଥିଲେ । ସେହି ତୁଳନାରେ ବିଜେପିର ମହିଳା ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ୨ ବର୍ଷରେ ମହିଳାଙ୍କୁ ୫୦ ହଜାର ଟଙ୍କା ଭାଉଚର ଦେବାକୁ ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା । ଏବେ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଓ ୫ ବର୍ଷରେ ୫୦ ହଜାର ଟଙ୍କା ଦେବାକୁ କହିଛି । ସୁଭଦ୍ରା ଯୋଜନାରେ ଦିନକୁ ମହିଳାମାନେ ମାତ୍ର ୨୭ ଟଙ୍କା ପାଇବେ । ୨୭ ଟଙ୍କାରେ ମହିଳାମାନେ କିପରି ଉଦ୍ୟୋଗୀ ହେବେ ସେ ନେଇ ସରକାର ଶ୍ବେତପତ୍ର ଜରିଆରେ ରାଜ୍ୟବାସୀଙ୍କୁ ଜଣାନ୍ତୁ ବୋଲି ବିଜେଡି ଦାବି କରିଛି ।

ଅନ୍ୟପଟେ କଂଗ୍ରେସ କହିଛି ସୁଭଦ୍ରା ଯୋଜନାରେ ବିଜେପି ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରୁ । ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବାକୁ ଦଳ ଦାବି କରିଛି । ସାଧାରଣ ମହିଳାମାନେ ମଧ୍ୟ ସୁଭଦ୍ରା ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି  । ୧୮ ବର୍ଷରୁ ଭୋଟ ନେଇ ୧୮ରୁ ୨୧ ବର୍ଷ ମହିଳାଙ୍କୁ କାହିଁକି ସୁଭଦ୍ରା ଯୋଜନାର ବଞ୍ଚିତ କରାଗଲା ବୋଲି ପ୍ରଥମ ଥର ଭୋଟରମାନେ ପ୍ରଶ୍ନ ଉଠାଇଛନ୍ତି । ନିର୍ବାଚନରେ ପ୍ରତିଶ୍ରୁତି ଦେଇ ବିଜେପି ତାହାକୁ ପାଳନ କରିନାହିଁ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ନବୀନ ମହିଳା ସଶକ୍ତିକରଣ ନେଇ ଯେଉଁ ପଦକ୍ଷେପ ନେଇଥିଲେ ତାହାକୁ  ଆଜି ବି ଝୁରୁଛନ୍ତି ମହିଳା ।

ମାଆମାନଙ୍କ ପାଇଁ କାହାର କେତେ ଦରଦ ତାହାକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ମହିଳା ସଶକ୍ତିକରଣରେ ନବୀନ ନୂଆ ପରିଚୟ ସୃଷ୍ଟି କରିଥିଲେ  । ବିଜେପି କିନ୍ତୁ ନିର୍ବାଚନରେ ଗୋଟେ କଥା, ଆଉ ନିର୍ବାଚନ ବିଜୟ ପରେ କାର୍ଯ୍ୟକାରିତାରେ ଭିନ୍ନ ଆଭିମୁଖ୍ୟ । ଯାହାକୁ ନେଇ ଉଠିଛି ପ୍ରଶ୍ନ, ବଢୁଛି ଅସନ୍ତୋଷ ।