କତାରରୁ ମୁକୁଳିଲେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନ

ବ୍ୟୁରୋ ରିପୋର୍ଟ: ଭାରତୀୟ କୂଟନୀତିର ବଡ ବିଜୟ। ଗୁପ୍ତଚର ମାମଲାରେ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଯବାନଙ୍କୁ ମୁକ୍ତ କରିଛି କତାର। ସୋମବାର ସକାଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଏହି ଘଟଣାକୁ ସ୍ୱାଗତ କରିଛି। ଏହାସହ ଅଲ୍ ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କ ମଧ୍ୟରୁ ୭ ଜଣ କତାରରୁ ଭାରତ ଫେରିଛନ୍ତି।

କତାରରେ ଅଟକ ରଖାଯାଇଥିବା ଦହରା ଗ୍ଲୋବାଲ କମ୍ପାନୀରେ କାମ କରୁଥିବା ୮ ଜଣ ଭାରତୀୟ ନାଗରିକଙ୍କୁ ମୁକ୍ତ କରିବା ପାଇଁ ଭାରତ ସରକାର ଅପିଲ କରିଥିଲେ। ନାଗରିକଙ୍କୁ ମୁକ୍ତ କରିବା ଏବଂ ସ୍ୱଦେଶ ଫେରାଇ ଆଣିବା ପାଇଁ କତାର ସରକାରର ନିଷ୍ପତିକୁ ବୈଦେଶିକ ମନ୍ତ୍ରଣାଳୟ ବିବୃତି ଜାରି କରି ସ୍ୱାଗତ କରିଛି । ଗତ ବର୍ଷ ଡିସେମ୍ବରରେ କତାରର ଏକ ଅଦାଲତ ଅଲ୍ ଦହରା ଗ୍ଲୋବାଲ ମାମଲାରେ ଗିରଫ ହୋଇଥିବା ଭାରତୀୟ ନୌସେନାର ୮ ଜଣ ଯବାନଙ୍କ ମୃତ୍ୟୁଦଣ୍ଡକୁ ପ୍ରତ୍ୟାହାର କରିଥିଲା। ଫାଶୀ ଦଣ୍ଡାଦେଶକୁ ଜେଲ ଦଣ୍ଡରେ ପରିଣତ କରାଯାଇଥିଲା ।