ବିଶ୍ୱ ଶକ୍ତିଙ୍କ ଯୁଦ୍ଧର ଶିକାର ହେଉଛନ୍ତି ନିରୀହ ଶିଶୁ, ପୁଟିନଙ୍କ ସୈନିକ ୬ ବର୍ଷର ଶିଶୁକୁ ମାରିଥିଲେ ୭ ଗୁଳି

1 min read

କିଭ୍: ଦୁନିଆରେ ସବୁଠାରୁ ଭାରି ବୋଝ ହେଉଛି ଗୋଟିଏ ଶିଶୁର ମୃତଦେହ । ଏହି କଥା ଋଷ-ୟୁକ୍ରେନ୍ ଯୁଦ୍ଧରେ ସତ ସାବ୍ୟସ୍ତ ହେଉଛି । ମାଆ ମୁଁ ମରିବା ପାଇଁ ବହୁତ ଛୋଟ । ଏକଥା ନୀରିହ ମ୍ୟାକ୍ସିମ୍ ଋଷ ଗୁଳିର ଶିକାର ହେବା ପୂର୍ବରୁ ନିଜ ମା’ ଏନ୍ନାକୁ କହିଥିଲା । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ମାଆ କୋଳରେ ହିଁ ମ୍ୟାକ୍ସିମର ଜୀବନ ଯାଇଥିଲା । ପୁଟିନଙ୍କ ସୈନିକ ଚଳାଇଥିବା ୭ ଗୁଳି ୬ ବର୍ଷର ମ୍ୟାକ୍ସିମର ଜୀବନ ନେଇଥିଲା । ଏହି ହୃଦୟଥରା କାହାଣୀ ହେଉଛି ୟୁକ୍ରେନ୍ ରାଜଧାନୀ କିଭରେ ରହୁଥିବା ଏନା ଓ ତାଙ୍କ ୬ ବର୍ଷର ପୁଅ ମ୍ୟାକ୍ସିମର । ଯିଏ ସୁପରପାୱାରଙ୍କ ଜିଓ ପଲିଟିକ୍ସର ଶିକାର ବନିଛି । ଯିଏ ଦୁନିଆ ଦେଖିବା ଆଗରୁ,ଦୁନିଆକୁ ଚିହ୍ନିବା ପୂର୍ବରୁ ଦୁନିଆରୁ ନେଇଛି ମେଲାଣି ।

କିଭ୍ ଉପରେ ଜୋରଦାର ହମଲା ପରେ ଏନ୍ନା ନିଜ ଭାଇ,ଭାଉଜ ଓ ୧୩ ବର୍ଷର ଝିଅ ତଥା ୬ ବର୍ଷର ପୁଅ ମ୍ୟାକ୍ସିମ୍ ସହିତ ସହର ଛାଡିବାକୁ ଯୋଜନା କରିଥିଲେ । ଦୁଇ ପରିବାର ଗୋଟିଏ କାରରେ କିଭରୁ ବାହାରିଥିଲେ । ଘରୁ ବାହାରିବା ବେଳେ ମ୍ୟାକ୍ସିମ୍ ମା’ ଏନାଙ୍କୁ କହିଥିଲା ‘ମାଆ’ ମୁଁ ମରିବାକୁ ଚାହୁଁନି,ଏବେ ମୁଁ ବହୁତ ଛୋଟ’ । ଏନା ନିଜର ଦୁଇ ପିଲାଙ୍କ ଭୟ କମ କରିବାକୁ କହିଥିଲେ ଯେ, ଯେପର୍ଯ୍ୟନ୍ତ ମୁଁ ଅଛି ସେପର୍ଯ୍ୟନ୍ତ କିଛି ହେବନାହିଁ । ଏହା ପରେ ଦୁଇ ପରିବାର କିଭରୁ ପଳାୟନ କରିଥିଲେ । ଭାଇ ଆଲେକଜାଣ୍ଡାର ଗାଡି ଚଳାଉଥିଲେ । କିଭ୍ ସୀମାରେ ଥିବା ଦୁଇଟି ୟୁକ୍ରେନୀୟ ଚେକ୍ ପୋଷ୍ଟ୍ ପାର କରିବା ପରେ ଆରମ୍ଭ ହୋଇଥିଲା ଋଷ ସୈନିକଙ୍କ ଆକ୍ରମଣ । ଗୁଳିମାଡରେ ଭାଇ ଆଲେକଜାଣ୍ଡାର ପ୍ରାଣ ହରାଇଥିଲେ । ମ୍ୟାକ୍ସିମକୁ ନେଇ ଏନା ଗାଡିରୁ ଓହ୍ଲାଇଥିଲେ । ମ୍ୟାକ୍ସିମକୁ ସେ କୋଳରେ ଧରି ବସିଥିଲେ । ଆଉ ଏନାଙ୍କ କୋଳରେ ହିଁ ମାକ୍ସିମର ମୃତ୍ୟୁ ହୋଇଥିଲା ।

ଏନାଙ୍କ ଅନୁସାରେ ଶେଷଥର ପାଇଁ ସେ ମାକ୍ସିମକୁ ଶବ ଘରେ ଦେଖିଥିଲେ । ଯେଉଁଠି ତାଙ୍କ ୬ ବର୍ଷର ପୁଅ ଯିଏ ମରିବାକୁ ଚାହୁଁନଥିଲା,ସିଏ ନିରବ, ନିସ୍ଥର ଥିଲା ।
ଏନା କିଭରେ ଗୋଟିଏ ଛୋଟିଆ ଫ୍ଲାଟରେ ରୁହନ୍ତି । ପରିବାର ଚଳାଇବା ପାଇଁ ସେ ଦୁଇଟି ସ୍ଥାନରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ଏନାଙ୍କ ଅନୁସାରେ ଘରର ଅବସ୍ଥା ମ୍ୟାକ୍ସିମକୁ ତା’ ବୟସ ତୁଳନାରେ ଅଧିକ ମ୍ୟାଚୁର କରିଦେଇଥିଲା । ମାତ୍ର ଛ’ ବର୍ଷ ବୟସରେ ସେ ତା’ ମାଙ୍କୁ ଅନେକ କାମରେ ସାହାଯ୍ୟ କରୁଥିଲା । ଏନାଙ୍କ ଅନୁସାରେ ମ୍ୟାକ୍ସିମର ପିତା ଏଭଳି ସମୟରେ ମଧ୍ୟ ତାଙ୍କ ମେସେଜର ଉତ୍ତର ଦେଇନଥିଲେ । ପରେ ମ୍ୟାକ୍ସିମ ଅନ୍ତିମ ସଂସ୍କାର ଏନାଙ୍କ ପୂର୍ବତନ ପତି କରିଥିଲେ ।
ମ୍ୟାକ୍ସିମର କାହାଣୀ କହୁଛି ଯୁଦ୍ଧ ଓ ବିଭିଷିକାର କଥା ।

ମ୍ୟାକ୍ସିମର କାହାଣୀ କହୁଛି ଯୁଦ୍ଧର ଶିକାର କେବଳ ଶିଶୁ ହୁଅନ୍ତି । ଯୁଦ୍ଧ କାହାକୁ ଅନାଥ କରିଦିଏ ତ’ କାହା ମୁଣ୍ଡ ଉପରୁ ବାପାର ହାତ । କିମ୍ବା ଯୁଦ୍ଧ ମ୍ୟାକ୍ସିମ ଭଳି ପିଲାର ଅସମୟ ମୃତ୍ୟୁର କାରଣ ହୁଏ । କିନ୍ତୁ ସତ ହେଉଛି ଜିଓ ପଲିଟିକ୍ସରେ ମ୍ୟାକ୍ସିମ ଭଳି ଶିଶୁ କୌଣସି ମାଇନା ରଖନ୍ତି । ସେମାନେ ଅଧିକରୁ ଅଧିକ କୋଲାଟେରାଲ ଡ୍ୟାମେଜ୍ ଶ୍ରେଣୀରେ ଯାଇ ପାରନ୍ତି ।