ପୁଟିନଙ୍କ ସହଯୋଗୀକୁ ଗିରଫ କରିଛି ୟୁକ୍ରେନ, ମୁକ୍ତି ପାଇଁ ଋଷ ଆଗରେ ରଖିଛି ଏଭଳି ସର୍ତ୍ତ…

କିଭ୍: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଜଣେ ବଡ଼ ସହଯୋଗୀ ଭିକ୍ଟର ମେଦଭେଦଶ୍ଚୁଙ୍କୁ ଗିରଫ କରିଛି ୟୁକ୍ରେନ । ତାଙ୍କର ମୁକ୍ତି ପାଇଁ ଋଷ ଦ୍ୱାରା ବନ୍ଦୀ ହୋଇଥିବା ସବୁ ଯୁବକ ଯୁବତୀଙ୍କୁ ଛାଡ଼ିବାକୁ ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକା ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବ । ଅସ୍ତ୍ର ମିଳିବା ପରେ ଋଷର ପରାଜୟ ନିଶ୍ଚିତ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନିଙ୍କ ବଡ଼ ସମର୍ଥକ ଭାବେ ଜଣାଶୁଣା ତଥା ବିରୋଧୀ ମଞ୍ଚ ଲାଇଫ ପାର୍ଟିର ନେତା ଭିକ୍ଟରଙ୍କୁ ଗିରଫ କରାଯାଇଥିବା ନେଇ ୟୁକ୍ରେନ ସରକାର ଘୋଷଣା କରିଥିଲେ । ତାଙ୍କ ବିରୋଧରେ ପୂର୍ବରୁ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା । ଗୃହବନ୍ଦୀ ଭାବେ ତାଙ୍କୁ ରଖାଯାଇଥିଲେ ମଧ୍ୟ ସେ ଫେବ୍ରୁଆରୀରେ ଖସି ପଳାଇଥିଲେ । ୟୁକ୍ରେନର ପୂର୍ବାଞ୍ଚଳରେ ଋଷ ଜୋରଦାର ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷର ୟୁକ୍ରେନ ଯୁଦ୍ଧକୁ ଗଣହତ୍ୟା ବୋଲି ଅଭିହିତ କରିଛନ୍ତି । ଏଥିସହ ଭ୍ଲଦିମିର ପୁଟିନଙ୍କୁ ସେ ଜଣେ କଂସେଇ ବୋଲି କହିଛନ୍ତି ।