ଆଟମବମ୍ ଭୟ: ସାଇବେରିଆ ବଙ୍କରରେ ଅଛନ୍ତି ପୁତିନଙ୍କ ପରିବାର

1 min read

ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ ଥମୁନି କିମ୍ବା ନିଷ୍କର୍ସ ଛିଡୁନି । ଦିନକୁ ଦିନ ବଢିବାରେ ଲାଗିଛି ଆଣବିକ ଆକ୍ରମଣର ବିପଦ । ସେପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପରିବାରକୁ ନେଇ ମଧ୍ୟ ଲାଗି ରହିଛି ସସପେନ୍ସ । ପ୍ରାୟ ୪ ସପ୍ତାହ ଧରି ଯୁଦ୍ଧ ଜାରି ରହିଥିବାବେଳେ ଉଭୟ ଦେଶର ହଜାର ହଜାର ସେନା ନିହତ ହୋଇଛନ୍ତି  । ତେବେ ଏହାରି ଭିତରେ ଯଦି ବା ଋଷ ରାଷ୍ଚ୍ରପତି ଭ୍ଲାଦିମିର ପୁତିନ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି  । କିନ୍ତୁ ତାଙ୍କ ପରିବାର ସଦସ୍ୟଙ୍କୁ ନେଇ ପ୍ରଶ୍ନ ଉଠିଛି  । କେଉଁଠି ଅଛନ୍ତି ପୁଟିନଙ୍କ ପରିବାର? ମସ୍କୋରେ ନା ଋଷର ଅନ୍ୟ କେଉଁ ସହରରେ? ଦେଶ ବାହାରେ ନା ଦେଶ ଭିତରେ?

କୁହାଯାଉଛି- ସାଇବେରିଆର ବିଳାସମୟ ବଙ୍କରରେ ଆଶ୍ରୟ ନେଇଛନ୍ତି ହାଇପ୍ରୋଫାଇଲ ପୁଟିନଙ୍କ ପରିବାର । ସମ୍ଭାବ୍ୟ ଆଣବିକ ଆତଙ୍କକୁ ନେଇ ପରିବାର ଲାଗି ସୁରକ୍ଷା ବ୍ୟବସ୍ଥା କରିସାରିଛନ୍ତି ପୁଟିନ । ପୁଟିନଙ୍କ ପ୍ରଥମ ପତ୍ନୀ ଲ୍ୟୁଦମିଲା ସେରେନଭା । ୧୯୮୩ରେ ଏହି ଫ୍ଲାଇଟ ଆଟେଣ୍ଡାଣ୍ଟେଙ୍କୁ ବିବାହ କରିଥିଲେ ପୁଟିନ । ମାତ୍ର ୨୦୧୩ରେ ହୋଇଥିଲା ବିବାହ ବିଚ୍ଛେଦ । ପ୍ରଥମ ପତ୍ନୀଙ୍କ ଦୁଇ କନ୍ୟା ମାରିଆ ଭୋରନସୋବା ଓ କାଟେରିନା ତିଖୋନୋଭା । ସେମାନଙ୍କ ପରିବାରକୁ ପୁଟିନ ବଙ୍କରକୁ ନେଇଯାଇଥିବା ଚର୍ଚ୍ଚା ଚାଲିଛି । ତେବେ ପୁଟିନଙ୍କ ଚର୍ଚ୍ଚିତ ଗର୍ଲଫ୍ରେଣ୍ଡ ତଥା ପୂର୍ବତନ ଅଲିମ୍ପିକ ସ୍ବର୍ଣ୍ଣବିଜେତା ଜିମ୍ନାଷ୍ଟ ଏଲିନା କାବାଏଭା ଓ ଦୁଇ ଜଣ ସନ୍ତାନ ସୁଇଜରଲ୍ୟାଣ୍ଡରେ ବାସ କରୁଥିବା କୁହାଯାଏ ।

ବହୂ ପୂର୍ବରୁ ନିଜର ସୁରକ୍ଷା ଲାଗି ପୁଟିନ ସାଇବେରିଆରେ ବଙ୍କର ପ୍ରତିଷ୍ଠା ଉପରେ ଗୁରୁତ୍ବ ଦେଇଛନ୍ତି । ଏହି ଅତ୍ୟାଧୁନିକ ବଙ୍କରରେ ରହିଛି ସମସ୍ତ ପ୍ରକାର ସୁବିଧା । ଏହାକୁ ଅଣ୍ଡରଗ୍ରାଉଣ୍ଡ ସହର କହିଲେ ବି ଠିକ୍ ହେବ । ବଙ୍କର ଏପରି ମଝବୁତ ଭାବେ ନିର୍ମିତ ଯେ ଏହାକୁ ଆଣବିକ ଆକ୍ରମଣ କୌଣସି କ୍ଷତି କରିପାରିବ ନାହିଁ । ସାଇବେରିଆରେ ଅଲତାଇ ମାଉଣ୍ଟେନ ଅନ୍ତର୍ଗତ ଆଲତେସ୍କୋୟ ପୋଦଭରି ରିସର୍ଟ ତଳେ ରହିଛି ଏହି ବଙ୍କର । ସେପଟେ ପୁଟିନଙ୍କ ସମ୍ପତ୍ତି ନେଇ ଏବେ ବି ସସପେନସ । ବାର୍ଷିକ ୧ ଲକ୍ଷ ୪୦ ହଜାର ଡଲାର ଦରମା ନେଉଥିବା ପୁଟିନଙ୍କ ମୋଟ ସମ୍ପତ୍ତି ପରିମାଣ ୨୦୦ ବିଲିୟନ ଡଲାର କୁହାଯାଏ । ସେ ବିଶ୍ବର ସର୍ବୋଚ୍ଚ ଧନୀଙ୍କ ମଧ୍ୟରେ ଅନ୍ୟତମ । ତାଙ୍କର ଏକ ସୁଦୃଶ୍ୟ ଅଟ୍ଟାଳିକା ରହିଛି ଯାହାର ଦାମ ୧୪୦ କୋଟି ଡଲାର ।