ଉତ୍ତର ଆଟଲାଣ୍ଟିକ୍ ସାଗରରେ ଋଷ ବୁଡ଼ାଜାହଜ, ଭୟଙ୍କର ମୋଡ଼ ନେଉଛି ୟୁକ୍ରେନ୍ ଯୁଦ୍ଧ ?

ନୂଆଦିଲ୍ଲୀ: ୟୁକ୍ରେନ୍‌ ଋଷ୍‌ ଯୁଦ୍ଧରେ ଅସ୍ତ୍ରବିରତି ଭଳି କୌଣସି ସ୍ଥିତି ନଜର ଆସୁନାହିଁ । ଏଠାରେ ସ୍ଥିତି ଅଧିକ ଗମ୍ଭୀର ହେଉଥିବା ନଜର ଆସୁଛି । ଏହି ମଧ୍ୟରେ ପାଶ୍ଚାତ୍ୟ ଦେଶ ଗୁଡ଼ିକୁ ଧମକ ଦେବାପରେ ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ ଉତ୍ତର ଆଟଲାଣ୍ଟିକ୍‌ ମହାସାଗରରେ ପରମାଣୁଯୁକ୍ତ ବୁଡ଼ାଜାହାଜ ଛାଡ଼ି ସାରିଛନ୍ତି । ତେବେ ଉତ୍ତର ଆଟଲାଣ୍ଟିକ୍‌ ମହାସାଗର ନିକଟରେ ରହିଛି କେତେକ ୟୁରୋପୀୟ ଦେଶ ।

ରିପୋର୍ଟ ଅନୁସାରେ, ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌  ପାଶ୍ଚାତ୍ୟ ଦେଶ ଗୁଡ଼ିକୁ ପରିଣାମ ଭୋଗିବାର ଧମକ ଦେବାର ଗୋଟିଏ ଦିନ ପରେ ପରମାଣୁ ବୁଡ଼ାଜାହାଜକୁ ଉତ୍ତର ଆଟଲାଣ୍ଟିକରେ ଛାଡ଼ିଛନ୍ତି । ସୂଚନାଯୋଗ୍ୟ ପୁତିନ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣର କିଛି ସମୟ ପରେ ନ୍ୟୁକ୍ଲିୟର ଡିଟରେଣ୍ଟ ଫୋର୍ସେସକୁ ଆଲର୍ଟ ରହିବା ପାଇଁ ଆଦେଶ ଦେଇଥିଲେ । ଏବେ ଋଷ୍‌ ତା’ର ଶକ୍ତିଶାଳୀ ପରମାଣୁ ବୁଡ଼ାଜାହାଜକୁ ଉତ୍ତର ଆଟଲାଣ୍ଟିକରେ ଛାଡ଼ିଛି । ଯାହା ୧୬ଟି ବାଲାଷ୍ଟିକ୍‌ ମିଶାଇଲକୁ ନେବାରେ ସମର୍ଥ । ତେବେ ପାଶ୍ଚାତ୍ୟ ଦେଶ ଗୁଡ଼ିକର ଗୁପ୍ତଚର ସଂସ୍ଥା ଲଗାତାର  ପୁତିନଙ୍କ ନ୍ୟୁକ୍ଲିୟର ଅସ୍ତ୍ରଶସ୍ତ୍ର ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି ।

ସୂଚନା ଅନୁସାରେ ପୁତିନଙ୍କ ନିକଟରେ, ୪ ହଜାର ୪ ଶହ ୪୭ଟି ପରମାଣୁ ଅସ୍ତ୍ର ସହିତ ଦୁନିଆର ସବୁଠାରୁ ବଡ଼ ପରମାଣୁ ଅସ୍ତ୍ର ରହିଛି । ଏଥିରେ ହଜାର ହଜାର ନ୍ୟୁକ୍ଲିୟରକୁ ଏଭଳି ବିକଶିତ କରାଯାଇଛି ଯାହା ଶତ୍ରୁର ସାମ୍ରାଜ୍ୟକୁ କିଛି କ୍ଷଣ ମଧ୍ୟରେ ଧୂଳିସାତ୍‌ କରିପାରେ । ସୈନ୍ୟ ବିଶେଷଜ୍ଞଙ୍କ କହିବା ହେଉଛି, ଏହି ଅସ୍ତ୍ରକୁ ବ୍ୟବହାର କରିବା ଏତେ ସହଜ ନୁହେଁ । କିନ୍ତୁ ଋଷ୍‌ ଏଥିରେ ଖୁବ୍‌ ପାରଙ୍ଗମ ।

ତେବେ ପାଶ୍ଚାତ୍ୟ ଦେଶ ଗୁଡ଼ିକର କିଛି ଅଧିକାରୀଙ୍କ କହିବା ହେଉଛି ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୟୁକ୍ରେନକୁ ଟାର୍ଗେଟ୍‌ କରିବା ଭଳି ମିଶାଇଲରେ ପରମାଣୁ ଅସ୍ତ୍ର ଥିବାର ପ୍ରମାଣ ମିଳିନାହିଁ ।  ଆଟଲାଣ୍ଟିକ୍‌ କାଉଂସିଲରେ ସ୍କୋକ୍ରାଫ୍ଟ ଷ୍ଟ୍ରାଟେଜି ଇନିସିଏଟିଭର ନିର୍ଦ୍ଦେଶକ ଡାକ୍ତର ମାଥ୍ୟୁ କ୍ରୋନିଗ୍‌ କହିଛନ୍ତିଯେ, ପୁତିନ୍‌ ଦୁଇଟି କାରଣରୁ ପରମାଣୁ ଅସ୍ତ୍ରକୁ ହାଇ ଆଲର୍ଟରେ ରଖିଥାନ୍ତି ।

ପୁତିନ୍‌ ସର୍ବଦା ନିଜ ଆଧିପତ୍ୟ ଦେଖାଇବାକୁ ଚାହାଁନ୍ତି । ଖାଲି ସେତିକି ନୁହେଁ ପୁତିନ୍‌ ଚାହାଁନ୍ତି ପାଶ୍ଚାତ୍ୟ ଦେଶ ଗୁଡ଼ିକ ଏହି ଯୁଦ୍ଧରୁ ଦୂରେଇ ରୁହନ୍ତି ।

ତେବେ ଡାକ୍ତର କ୍ରୋନିଗଙ୍କ କହିବା ହେଉଛି, ପୁତିନ୍‌  ୨୦୧୪ରେ କ୍ରିମିଆ ସହିତ ଯୁଦ୍ଧ ସମୟରେ ସମାନ ରଣନୀତି ଆପଣାଇଥିଲା ।