ଯୁଦ୍ଧ ବନ୍ଦ କରିବା ମୁଡରେ ନାହାନ୍ତି ପୁଟିନ୍‌, ୟୁକ୍ରେନ୍‌ ସର୍ତ୍ତ ନମାନିଲା ପର୍ଯ୍ୟନ୍ତ ଜାରି ରହିବ ରକେଟ ମାଡ଼

କିଭ୍: ଯୁଦ୍ଧ ବନ୍ଦ କରିବା ମୁଡ୍‌ରେ ନାହାନ୍ତି ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ । ଫ୍ରାନ୍ସ ଓ ଜର୍ମାନ ସରକାରଙ୍କ ଆଲୋଚନା ବେଳେ ପୁଟିନ୍‌ ସିଧା ସିଧା ମନା କରିଦେଇଛନ୍ତି । ଯେ ପର୍ଯ୍ୟନ୍ତ ୟୁକ୍ରେନ ସର୍ତ୍ତ ମୁତାବକ ପଦକ୍ଷେପ ନନେଇଛି ସେପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ । ଏପଟେ ମାରିୟୁପୋଲକୁ କବଜା କରିବା ପରେ ୟୁକ୍ରେନ୍‌ ରାଜଧାନୀ କିଭଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଛି ଋଷ ସେନା । ତୁହାକୁ ତୁହା ରକେଟ ମାଡ଼ କରି ବଡ଼ ବଡ଼ ସହରକୁ ଧ୍ବଂସ ସ୍ତୁପରେ ପରିଣତ କରିସାରିଲାଣି । ଖୁବଶୀଘ୍ର ରାଜଧାନୀକୁ କବଜା କରାଯିବ ।

ଅନ୍ୟପଟେ ୟୁକ୍ରେନକୁ ଯୋଗା ଯାଉଥିବା ଅସ୍ତ୍ରଶସ୍ତ୍ର ଉପରେ ମଧ୍ୟ ଚିନ୍ତାବ୍ୟକ୍ତ କରିଛି ଋଷ । ଯେଉଁ ଦେଶ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି ସେମାନଙ୍କୁ ପରୋକ୍ଷରେ ଧମକ ଦେଇଛନ୍ତି ପୁଟିନ୍‌ । ଋଷ ଆକ୍ରମଣ କରିବା ଦିନଠାରୁ ଆଜି ପର୍ଯ୍ୟନ୍ତ ୧୩ ଶହ ୟୁକ୍ରେନ୍‌ ସେନାଙ୍କ ମୃତ୍ୟୁ ହୋଇଥିବା ଋଷ ଗଣମାଧ୍ୟମ ଦାବି କରିଛି । ଏପଟେ ୟୁକ୍ରେନରୁ ପାଖାପାଖି ୨୦ ଲକ୍ଷ ଲୋକ ଦେଶ ଛାଡି ଅନ୍ୟ ଦେଶରେ ଶରଣ ନେଉଥିବା ବେଳେ ପୋଲାଣ୍ଡରେ ଅଧିକାଂଶ ଶରଣାର୍ଥୀଙ୍କ ଭିଡ଼ ଜମୁଛି । ସଂଯୁକ୍ତ ରାଷ୍ଟ୍ର ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ହ୍ୟୁମାନ ଟ୍ରାଫିକିଂ ସମସ୍ୟା ଦେଖାଦେଇଛି । ସେପଟେ ରୋଜଗାର ହରାଇ ମହିଳା ଓ ଯୁବତୀମାନେ ବେଶ୍ୟାବୃତି କରୁଥିବା ଜଣାପଡିଛି  । ଯାହାକୁ ନେଇ ଆମେରିକା, ବ୍ରିଟେନ, କାନାଡା ଚିନ୍ତା ବ୍ୟକ୍ତ କରିଛନ୍ତି ।