ଆଜି ବେଜିଂରେ ଦୁଇ ସୁପରପାଓ୍ବାର ମୁଖ୍ୟ ସି ଜିନପିଙ୍ଗ ଓ ଭ୍ଲାଦିମିର ପୁଟିନଙ୍କ ଭେଟଘାଟ

1 min read

ନୂଆଦିଲ୍ଲୀ : ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆଜି ଦୁଇ ସୁପରପାଓ୍ବାର ମୁଖ୍ୟଙ୍କ ଭେଟଘାଟ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବେଜିଂରେ ସାକ୍ଷାତ କରିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ବିଗତ ୨୦ ମାସ ମଧ୍ୟରେ ଏହା ହେବ ପୁଟିନ ପ୍ରଥମ ବିଦେଶ ଗସ୍ତ । ୟୁରୋପ ଓ ଏସିଆରେ କୌଶଳଗତ ସମ୍ପର୍କ ବଜାୟ ରଖିବା ଉପରେ ଦୁଇ ନେତା ଦେବେ ଫୋକସ । ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ବା ବିଆଇଆଇର ଦଶମ ବାର୍ଷିକୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଭେଟଘାଟ ନେଇ କାର୍ଯ୍ୟକ୍ରମ ରହିଛି ।

ଏହି ସମ୍ମିଳନୀ ଦୁଇ ଦିନ ଲାଗି ଚାଲିବାକୁ ଥିବାବେଳେ ଯୋଗଦେବେ ୧୩୦ରୁ ଅଧିକ ରାଷ୍ଟ୍ରର ପ୍ରତିନିଧି । ଗତ ଫେବ୍ରୁଆରୀ ୨୦୨୨ରେ ଉଭୟ ନେତା ସୀମାହୀନ ସମ୍ପର୍କ ନେଇ ଦ୍ବିପାକ୍ଷିକ ଘୋଷଣା କରିଥିବାବେଳେ ବେଜିଂ ସମ୍ମିଳନୀରେ ଏହାର ସକାରାତ୍ମକ ପ୍ରଭାବ ପରିଲକ୍ଷିତ ହେବ । ମଧ୍ଯପ୍ରାଚ୍ଯରେ ଚୀନର ବିଭିନ୍ନ ସ୍ବାର୍ଥ ଥିବାରୁ ଦୁଇ ନେତାଙ୍କ ମଧ୍ଯରେ ଏନେଇ ଆଲୋଚନା ହେବାର ସମ୍ଭାବନା ରହିଛି ।

ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ବିରୋଧରେ ଆମେରିକା ଜାରି କରିଥିବା କଟକଣା ପ୍ରସଙ୍ଗ ବି ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନାରେ ସ୍ଥାନ ପାଇବ । ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରେ ଇସ୍ରାଏଲକୁ ଆମେରିକାର ଖୋଲାଖୋଲି ସମର୍ଥନକୁ ସହଜରେ ଗ୍ରହଣ କରୁନାହାନ୍ତି ଋଷ ଓ ଚୀନ । ସେପଟେ ଇସ୍ରାଏଲ ସହ ନିଜର ଅର୍ଥନୈତିକ ଓ କୂଟନୈତିକ ଭାରସାମ୍ଯ ରଖିବା ଲାଗି ଚୀନ ଉଦ୍ୟମ କରୁଛି । ଏପରିକି ଇରାନ ଓ ସିରିଆ ସହ ବି ସମ୍ପର୍କ ରଖୁଛି ଚୀନ । ବେଜିଂର ନିଷ୍ପତ୍ତିକୁ ସମର୍ଥନ କରୁଛି ଋଷ ।