ଆଜି ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି, ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହେବ। ରତ୍ନସିଂହାସନରେ ଶ୍ରୀଜିଉମାନେ ରାଜରାଜେଶ୍ୱର ବା ସୁନାବେଶରେ ବିଭୂଷିତ ହେବେ। ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯିବ। ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ମହାଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବେ।

ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ କରାଯିବ। ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହେବ। ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ ସହ ହରିଡ଼ାମାଳ, ବାହାଡା ମାଳି, ସେବତୀ ମାଳି, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କାରରେ ମହାପ୍ରଭୁ ମାନେ ରାଜରାଜେଶ୍ୱର ବେଶରେ ବିଭୂଷିତ ହେବେ।

ତେବେ ପ୍ରଭୁ ଶ୍ରୀରାମ ୧୪ ବର୍ଷ ବନବାସ ପରେ ଆଜି ଦିନରେ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରି ସିଂହାସନରେ ଅଧିଷ୍ଠିତ ହୋଇଥିଲେ । ସେହି ସ୍ମୃତିରେ ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଅର୍ଥାତ୍ ଆଜିର ଦିନରେ ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ସଂପନ୍ନ ହୋଇଥାଏ । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି  ।