ହିନ୍ଦୀରେ ‘ପୁଷ୍ପା-୨’କୁ ବଡ଼ ଓପନିଂ: ଶାହରୁଖଙ୍କୁ ପଛରେ ପକାଇଲେ ଅଲ୍ଲୁ ଅର୍ଜୁନ
1 min readମୁମ୍ବାଇ: ସାରା ଦେଶରେ ଏବେ ଅଲ୍ଲୁ ଅର୍ଜୁନ ଷ୍ଟାରର ‘ପୁଷ୍ପା-୨’ର କ୍ରେଜ୍ । ପିଲାଠୁ ବୟସ୍କ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଝୁକେଗା ନେହିଁ ସାଲା । ଏହି ଷ୍ଟାଲିରେ ନ ଝୁକି ପ୍ରଥମ ଦିନରୁ ମାଡ଼ି ଚାଲିଛି ପୁଷ୍ପା-୨ । ଆଉ ବଡ଼ କଥା ହେଲା, ହିନ୍ଦୀ ଭାଷାଭାଷି ଅଞ୍ଚଳରେ ଧମାକାଦାର ଓପନିଂ କରିଛି ଏହି ଫିଲ୍ମ । ଖାଲି ଧମାକାଦାର ଓପନିଂ କରିନାହିଁ, ପ୍ରଥମ ଦିନ କଲେକ୍ସନରେ ବଲିଉଡ଼ର ବଡ଼ କଲେକ୍ସନ ଏପରିକି ଶାହରୁଖଙ୍କ ଯବାନକୁ ବି ପଛରେ ପକାଇ ଦେଇଛି ।
ପୁଷ୍ପା-୨ର ଧମାକା
ଫିଲ୍ମକୁ ହିନ୍ଦୀରେ ଯେମିତି ଆଡଭାନ୍ସ ବୁକିଂ ମିଳିଥିଲା, ଲାଗୁଥିଲା ଏହା ବଲିଉଡ଼ର ଟପ୍ ଓପନିଂ ରେକର୍ଡକୁ ଭାଙ୍ଗି ଦେଇପାରେ । ଆଉ ଏହା ସତ ମଧ୍ୟ ହୋଇଛି । ଅଲ୍ଲୁଙ୍କୁ ହିନ୍ଦୀ ଭାଷାଭାଷି ଅଞ୍ଚଳର ଦର୍ଶକ ଯେଉଁ ଭଲ ପାଇବା ଦେଇଛନ୍ତି, ତାହା ଏହି ଫିଲ୍ମକୁ ଐତିହାସିକ ବନାଇ ଦେଇଛି ।
ଗତକାଲି ଗୁରୁବାର ଏହା ରିଲିଜ ହୋଇଥିବା ବେଳେ ବିହାର, ଗୁଜରାଟ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ପରି ହିନ୍ଦୀ ଭାଷାଭାଷି ରାଜ୍ୟରେ ଏମିତି ସଫଳତା ମିଳିଛି, ଯାହା ବଲିଉଡ଼ ଫିଲ୍ମକୁ ବି ମିଳିନି । ଟ୍ରେଡ ରିପୋର୍ଟ ଅନୁସାରେ ଅନୁମାନ କରାଯାଉଛି, ପୁଷ୍ପା-୨ର ହିନ୍ଦୀ ଭର୍ସନକୁ ପ୍ରଥମ ଦିନରେ ୬୬ରୁ ୬୮ କୋଟି ଟଙ୍କାର କଲେକ୍ସନ ମିଳିଛି । ଫାଇନାଲ ରିପୋର୍ଟ ଆସିବା ପରେ ଏହା ୭୦ କୋଟି ବି ଛୁଇଁପାରେ ।
ହିନ୍ଦୀରେ ଅଲ୍ଲୁ ଅର୍ଜୁନଙ୍କ ରେକର୍ଡ
ହିନ୍ଦୀରେ ଏବେ ସୁଦ୍ଧା ଓପନିଂ କଲେକ୍ସନ ରେକର୍ଡ କିଙ୍ଗ ଖାନ ଶାହରୁଖଙ୍କ ନାଁରେ ରହିଥିଲା । ଗତବର୍ଷ ରିଲିଜ ହୋଇଥିବା ଶାହରୁଖ ଷ୍ଟାରର ‘ଯବାନ’ ପ୍ରଥମ ଦିନରେ ୬୫.୫ କୋଟି ଟଙ୍କା କଲେକ୍ସନ କରିଥିଲା । ହେଲେ ପୁଷ୍ପା-୨ର ରୋଜଗାରକୁ ଦେଖିଲେ ଅନୁମାନ କରାଯାଉଛି ଅଲ୍ଲୁ ଅର୍ଜୁନ ଶାହରୁଖଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି ।
ସୂଚନାଯୋଗ୍ୟ, ୨୦୧୭ରେ ଆସିଥିବା ପ୍ରଭାସ ଷ୍ଟାରର ‘ବାହୁବଳି-୨’ ୪୧ କୋଟି ଟଙ୍କାର ଓପନିଂ କଲେକ୍ସନ କରିଥିଲା । ସେହିପରି ୨୦୨୨ରେ ‘କେଜିଏଫ-୨’ର ହିନ୍ଦୀ କଲେକ୍ସନ ୫୪ କୋଟି ହୋଇଥିଲା ।