spot_img

Latest Posts

ମୁରବୀ ଶୂନ୍ୟ ପୁରୁଷୋତ୍ତମପୁର ବ୍ଲକ ଓ NAC, ଅଧିକାରୀ ଅଭାବରୁ ଠପ୍ ବିକାଶ

ନନ୍ଦିଘୋଷ ବ୍ୟୁରୋ; ଖାଲି ପଡ଼ିଛି ବରିଷ୍ଠ ଅଧିକାରୀଙ୍କ ପଦପଦବୀ। ଦୀର୍ଘଦିନ ଧରି ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) କାର୍ଯ୍ୟାଳୟରେ ସ୍ଥାୟୀ ଅଧିକାରୀ ନାହାନ୍ତି। ପୁରୁଷୋତ୍ତମପୁର ବିଡିଓ ଭାବେ ଖଲ୍ଲିକୋଟ ବିଡିଓ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ଏନଏସି ନିର୍ବାହୀ ଅଧିକାରୀଙ୍କ ସ୍ଥାନରେ ଅତିରିକ୍ତ ତହସିଲଦାର ଦାୟିତ୍ୱ ତୁଲାଉଛନ୍ତି। ଫଳରେ ଉନ୍ନୟନମୂଳକ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ ଜନସାଧାରଣ ଠିକ୍ ସମୟରେ ସେବା ପାଇପାରୁନାହାନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଗତ ଏପ୍ରିଲ ମାସରେ ପୁରୁଷୋତ୍ତମପୁର ବିଡିଓ ଶରତ ପାତ୍ରଙ୍କ ଅବସର ପରେ ଖଲ୍ଲିକୋଟ ବିଡିଓ ଦେବାଶିଷ ସାମଲଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ଉଭୟ ବ୍ଲକର ଦାୟିତ୍ୱରେ ରହିଥିବାରୁ ପୁରୁଷୋତ୍ତମପୁର ବ୍ଲକରେ ସମ୍ପୂର୍ଣ୍ଣ ସମୟ ଦେଇପାରୁନାହାନ୍ତି। ଗତ ମାସରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ସ୍ଥାନୀୟ ଜନପ୍ରତିନିଧିମାନେ ସ୍ଥାୟୀ ବିଡିଓ ନିଯୁକ୍ତି ନେଇ ଦାବି ଉଠାଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ଦାବି ପୂରଣ ହୋଇନାହିଁ।

ସେହିପରି ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନାଙ୍କର ବଦଳି ଗତବର୍ଷ ଅକ୍ଟୋବର ୧୫ ତାରିଖରେ ହୋଇଥିଲା। ତାଙ୍କ ସ୍ଥାନରେ ପୁରୁଷୋତ୍ତମପୁର ତହସିଲର ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସେ ଉଭୟ କାର୍ଯ୍ୟାଳୟର ଦାୟିତ୍ୱରେ ରହିଥିବାରୁ ଏନଏସି କାର୍ଯ୍ୟାଳୟକୁ କେଉଁ ସମୟରେ ଆସିବେ, ତାହା ମଧ୍ୟ ଜଣାପଡ଼ୁନାହିଁ। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ପୁରୁଷୋତ୍ତମପୁର ବ୍ଲକ ଓ ଏନଏସିରେ ସ୍ଥାୟୀ ପ୍ରଶାସନିକ ଅଧିକାରୀ ନିଯୁକ୍ତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ପୁରୁଷୋତ୍ତମପୁର ଏନଏସିରେ ଡ୍ରେନ୍‌ଠାରୁ ଆରମ୍ଭ କରି ଶୌଚାଳୟ, ଷ୍ଟ୍ରିଟ୍ ଲାଇଟ୍ ଭଳି ବିଭିନ୍ନ ମୌଳିକ ସମସ୍ୟା ରହିଛି। ସମସ୍ୟା ସମ୍ପର୍କରେ ଲୋକେ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଅବସ୍ଥା ଯଥା ପୂର୍ବଂ ତଥା ପରଂ। ଏହାର ପ୍ରତିବାଦରେ ଅଗଷ୍ଟ ୧୫ ତାରିଖରେ ୬ ଜଣ କାଉନସିଲର ଓ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଥିଲେ।

Latest Posts

Don't Miss