ଆଶୀର୍ବାଦ ସାହୁ ହତ୍ୟା ଘଟଣା, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୋଲିସର ଅପେକ୍ଷା

ପୁରୀ ଡେଲାଙ୍ଗ ରତନପୁରର ୧୧ ବର୍ଷର ନାବାଳକ ଆଶୀର୍ବାଦ ସାହୁ ହତ୍ୟା ଘଟଣା । ଆଶୀର୍ବାଦ ନିଖୋଜ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ହତ୍ୟା ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଜଣଙ୍କ ମୃତ ନାବାଳକର ସମ୍ପର୍କୀୟ ଦାଦା ହୋଇଥିବା ବେଳେ ସେ ଯୌନ ଲାଳସା ସମ୍ପର୍କରେ ପ୍ରଘଟକୁ ନେଇ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ତଦନ୍ତରୁ ପ୍ରକାଶ କରିଛି । ଅଭିଯୁକ୍ତ ପ୍ରଭାକର ସାହୁ ଓରଫ ବାପି ନାବାଳକକୁ ଏକ ପରିତ୍ୟକ୍ତ ଗୃହକୁ ନେବା ସହ ସେଠାରେ ଟେନିସ ବଲ କିଣିବା ପାଇଁ ଲାଳସା ଦେଖାଇଥିଲା । ବଲ କିଣିବାକୁ ନାବାଳକକୁ ୧୦୦ ଟଙ୍କା ଦେବା ସହ ତାର ପ୍ରାଇଭେଟ ପାର୍ଟରେ ହାତ ମାରି ଯୌନ ଲାଳସା ମେଣ୍ଟାଇଥିଲା । ଏହି ଘଟଣା ବେଶ କିଛି ସମୟ ଚାଲିବା ପରେ ନାବାଳକ ଅଭିଯୁକ୍ତକୁ ଅଧିକ ଟଙ୍କା ମାଗିଥିଲା । ଟଙ୍କା ନଦେଲେ ସେ ସମସ୍ତଙ୍କୁ ଘଟଣା ସମ୍ପର୍କରେ ଜଣାଇ ଦେବ ବୋଲି କହିଥିଲା । ଘଟଣା ପ୍ରଘଟ ହୋଇଯିବା ଭୟରେ ନିଜ ଗଞ୍ଜିରେ ନାବାଳକର ମୁହଁ ଘୋଡାଇବା ସହ ଚାପି ଧରିଥିଲା । ପରବର୍ତୀ ସମୟରେ ସେ ନାବାଳକକୁ ନେଇ ପାଇଖାନା ଟାଙ୍କି ଭିତରେ ପକାଇ ଦେଇଥିଲା । ପୋଷ୍ଟ ମର୍ଟମ ରିପୋର୍ଟକୁ ପୋଲିସ ଅପେକ୍ଷା କରି ରହିଛି । ତେବେ ନାବାଳକ ସହ ସେପରି କୌଣସି ଅପାକୃତିକ ଯୌନ ସମ୍ପର୍କ ହୋଇ ନଥିବା ପୋଲିସ ସ୍ପଷ୍ଟ କରିଥିବା ବେଳେ ମୋବାଇଲ ଫୋନ, ସାଇକେଲ ଚାବି ଓ ପିନ୍ଧିଥିବା ଗଞ୍ଜି ଆଦିକୁ ପୋଲିସ ଜବତ କରିଛି । ଆଜି ଅଭିଯୁକ୍ତକୁ ପୋକସୋ ମାମଲାରେ କୋର୍ଟ ଚାଲାଣ କରାଯାଇଅଛି । ଏହି ଘଟଣାରେ ଅନ୍ୟ କେହି ସହଯୋଗୀ ଅଛି କି ନାହିଁ ସେ ନେଇ ପୋଲିସ ଅଧିକ ତଦନ୍ତ କରୁଛି । ଏହି ମାମଲାର ଶୀଘ୍ର ନ୍ୟାୟିକ ଯାଞ୍ଚ ପାଇଁ ପୋଲିସ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପୁରୀ ଏସପି ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।