ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବନକଲାଗି ନୀତି ବିଳମ୍ବ ସମ୍ପର୍କରେ ହେବ ଅନୁଧ୍ୟାନ

ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନିଳାଦ୍ରୀ ଭକ୍ତ ନିବାସରେ ଦିନ ୧୧ଟା ସମୟରେ ବୈଠକ ବସିବାକୁ ଥିବା ବେଳେ ପୂର୍ବ ବିବରଣୀ ପଠନ ଓ ଅନୁମୋଦନ ହେବା ସହ ଗତ ରଥ ଓ ସ୍ନାନ ଯାତ୍ରାର ସମୀକ୍ଷା କରାଯିବ । ଏଥିସହ ସେବାୟତ ବାସଗୃହ, ଆଦର୍ଶ ଗୁରୁକୁଳ ସମ୍ପର୍କରେ ଆଲୋଚନା କରାଯିବ ବାଉଳି ମଠ ଉନ୍ନତି କରଣ ସହ ଶ୍ରୀଜଗନ୍ନାଥ ମନ୍ଦିର ଭୂମି ଓ ପ୍ରକଳ୍ପ ସବକମିଟି ବୈଠକର ବିବରଣୀ ବିଷୟରେ ଆଲୋଚନା କରାଯିବ । ତେବେ ଦୀର୍ଘ ଏକମାସ ହେବ ମହାପ୍ରଭୁଙ୍କ ବନକ ଲାଗି ହୋଇନଥିବା ବେଳେ ଆସନ୍ତା ୯ ତାରିଖରେ ଏହା କରାଯିବ ବୋଲି ସ୍ଥିରୀକୃତ କରାଯାଇଛି । ତେବେ କାହିଁକି ନୀତି ବିଳମ୍ବ ହେଲା, କେଉଁଠାରେ ସମନ୍ୱୟ ଅଭାବ ରହିଲା ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯିବ ।

ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ନିମନ୍ତେ ଖୋଲାଯିବା ପ୍ରସଙ୍ଗ ବିଷୟରେ ମଧ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଆଲୋଚନା କରାଯାଇପାରେ । ବୈଠକରେ ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପିଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଓ ପରିଚାଳନା କମିଟିର ସମସ୍ଥ ସଦସ୍ୟ ଉପସ୍ଥିତ ରହିବେ ।